ବାଲେଶ୍ୱର,୧୬ା୧୦: ସମ୍ପୂର୍ଣ୍ଣ ସ୍ୱଦେଶୀ ଜ୍ଞାନ କୌଶଳରେ ନିର୍ମିତ ଆଂଟି ବାଲାଷ୍ଟିକ୍ ତଥା ଆଣମିକ ଯୁଦ୍ଧାସ୍ତ୍ର ବହନ ଶକ୍ତି ସମ୍ପନ୍ନ କ୍ଷେପଣାସ୍ତ୍ର ‘ପୃଥ୍ୱୀ-୨’ର ଆଜି ସଫଳ ରାତ୍ରିକାଳୀନ ପରୀକ୍ଷଣ ଅନୁଷ୍ଠିତ ହୋଇଯାଇଛି । ଚାନ୍ଦିପୁରସ୍ଥିତ ପ୍ରତିରକ୍ଷା ଗବେଷଣା ଉନ୍ନୟନ ସଂସ୍ଥାନ(ଡିଆରଡିଓ) ଏବଂ ଷ୍ଟ୍ରାଟେଜି କମାଣ୍ଡେ ଫୋର୍ସର ମିଳିତ ସହଯୋଗରେ ଏହି ପରୀକ୍ଷା ହୋଇଥିଲା । ଆଇଟିଆର ୩ ନମ୍ବର ଲଂଚ କମ୍ପେ୍ଲକ୍ସରୁ ରାତ୍ରି ୭ଟା ୩୦ ମିନିଟ୍ରେ ଉତ୍କ୍ଷେପଣ ହୋଇଥିବା ଏହି ‘ପୃଥ୍ୱୀ୨’କ୍ଷେପଣାସ୍ତ୍ର ଧାର୍ଯ୍ୟ ଲକ୍ଷ୍ୟସ୍ଥଳରେ ପହଂଚିଥିବା ବିଭାଗୀୟ ସୂତ୍ରରୁ ପ୍ରକାଶ । ଡିଆରଡିଓର ରାଡ଼ାର ଇଲେକ୍ଟ୍ରୋ ଅପ୍ଟିକାଲ ଟ୍ରାକିଂ ସିଷ୍ଟମ ଦ୍ୱାରା ଓଡ଼ିଶା ଉପକୂଳରେ ରହିଥିବା ଟେଲିମେଟ୍ରି ଷ୍ଟେସନ ସହାୟତାରେ କ୍ଷେପଣାସ୍ତ୍ରର ଗତିପଥ ଉପରେ ନଜର ରଖାଯାଇଥିଲା । ଭୂପୃଷ୍ଠରୁ ଭୂପୃଷ୍ଠକୁ ନିକ୍ଷେପ ହେଉଥିବା ଏହି କ୍ଷେପଣାସ୍ତ୍ରର ଓଜନ ୪.୬ ଟନ ହୋଇଥିବା ବେଳେ ଲମ୍ବ ୮.୫୬ ମିଟର, ଓ ମୋଟେଇ ୧୧୦ ସେଂଟିମିଟର ଅଟେ । ୩୫୦ କିଲୋମିଟର ଦୂରତାରେ ଏହା ଲକ୍ଷ୍ୟଭେଦ କରୁଥିବା ବେଳେ ୫ଶହରୁ ୧୦୦୦ରେ କିଲୋଗ୍ରାମ ଓଜନ ପର୍ଯ୍ୟନ୍ତ ଉଭୟ ପାରମ୍ପାରିକ ଓ ଆଣବିକ ଯୁଦ୍ଧାସ୍ତ୍ର ବହନ କରିବାର କ୍ଷମତା ରହିଛି ଏହି କ୍ଷେପଣାସ୍ତ୍ରର । ୧୯୯୬ ମସିହା ଜାନୁଆରୀ ୨୭ ତାରିଖ ଦିନ ପୃଥ୍ୱୀ ମିଜାଇଲ୍ସର ପ୍ରଥମେ ପରୀକ୍ଷା କରାଯାଇଥିଲା । ୨୦୦୩ ମସିହାରୁ ଏହି କ୍ଷେପଣାସ୍ତ୍ରକୁ ଭାରତୀୟ ସେନାବାହିନୀରେ ସାମିଲ କରାଯାଇଛି ।
Comments
Post a Comment