ଅଖିଳ ଭାରତୀୟ ସାହିତ୍ୟ ପରିଷଦ, ଓଡ଼ିଶାଙ୍କ ଯୁବ ବିଭାଗ ଆନୁକୂଲ୍ୟରେ ଭୁବନେଶ୍ୱର ସ୍ଥିତ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର, ୟୁନିଟ ୩ ଠାରେ ଦୁଇଦିନିଆ ରାଜ୍ୟ ସ୍ତରୀୟ ଯୁବ ସାହିତ୍ୟିକ ସମ୍ମିଳନୀ ଉଦଯାପିତ ହୋଇଯାଇଛି। ଆଷାଢ଼ ମାସର ଚିତାଲାଗି ଅମାବାସ୍ୟା ଓ ଶ୍ରାବଣ ଶୁକ୍ଳ ପ୍ରତିପଦା ତିଥିରେ ଅନୁଷ୍ଠିତ ହୋଇଥିବା ଏହି ଯୁବ ସମ୍ମିଳନୀରେ କଟକରୁ ଆରମ୍ଭ କରି କେନ୍ଦୁଝର, କୋରାପୁଟ, କଳାହାଣ୍ଡି, କନ୍ଧମାଳ ପର୍ଯ୍ୟନ୍ତ, ଖୋର୍ଦ୍ଧାରୁ ଆରମ୍ଭ କରି ଗଞ୍ଜାମ, ନୟାଗଡ଼ ଯାଏ,ଭଦ୍ରକରୁ ରାୟଗଡା ଆଉ ଝାରସୁଗୁଡ଼ାରୁ ପୁରୀ ପର୍ଯ୍ୟନ୍ତ ବିଭିନ୍ନ ଜିଲ୍ଲାର ଯୁବ ସାହିତ୍ୟିକ ଯୋଗ ଦେଇଥିଲେ।
ସମ୍ମିଳନୀର ପ୍ରଥମ ଦିବସରେ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଡ ଅନୁପ ମାର୍ଥା ସଂଯୋଜନା କରିଥିଲେ। ଅତିଥିମାନଙ୍କ ଦ୍ଵାରା ଦୀପ ପ୍ରଜ୍ବଳନ ହୋଇ ସମ୍ମିଳନୀର ଉଦ୍ଘାଟନ ପରେ ସ୍ୱାଗତ ଭାଷଣ ଦେଇଥିଲେ ପରିଷଦର ସାଧାରଣ ସମ୍ପାଦକ ଡ ସନ୍ତୋଷ କୁମାର ମହାପାତ୍ର। ଏହି ଉତ୍ସବରେ ପରିଷଦର ଦିବଙ୍ଗତ ଅଧ୍ୟକ୍ଷ ପ୍ରଫେସର ଡ ନଗେନ୍ଦ୍ରନାଥ ପ୍ରଧାନଙ୍କ ସ୍ମୃତି ଉଦ୍ଦେଶ୍ୟରେ "ଶ୍ରଦ୍ଧା-କୁସୁମାଞ୍ଜଳି" ଶୀର୍ଷକ ଏକ ସ୍ମରଣିକା ଲୋକାର୍ପିତ ହୋଇଥିଲା। ଏହି ସ୍ମରଣିକା ବିଷୟରେ ବିଶେଷକରି ଦିବଙ୍ଗତ ଡ. ପ୍ରଧାନଙ୍କ କର୍ମମୟ ଜୀବନ ସମ୍ବନ୍ଧରେ ଆଲୋକପାତ କରିଥିଲେ ବ୍ରହ୍ମପୁରରୁ ଆସିଥିବା ଅବସରପ୍ରାପ୍ତ ଓଡ଼ିଆ ଅଧ୍ୟାପକ ଶ୍ରୀଯୁକ୍ତ ରମେଶ ଚରଣ ତ୍ରିପାଠୀ। ଏନ.ସି.ଇ.ଆର.ଟି ର ପ୍ରଫେସର ଡ. ବସନ୍ତ କୁମାର ପଣ୍ଡା 'ସାହିତ୍ୟ କାହିଁକି ?" ଶୀର୍ଷକ ଆଲୋଚନାଚକ୍ରରେ ଅଂଶଗ୍ରହଣ କରି ନିଜ ବକ୍ତବ୍ୟରେ ମତ ପ୍ରକାଶ କରିଥିଲେ ଯେ ସାହିତ୍ୟ ଆନନ୍ଦ ଦିଏ, ଶିକ୍ଷାଦାନ କରେ, କାର୍ଯ୍ୟ ପାଇଁ ପ୍ରେରଣା ଯୋଗାଏ, ଏହା ମଧ୍ୟ ସମାଜ ସେବାର ଏକ ମାଧ୍ୟମ। ଏହାଛଡ଼ା ସେ ଭାରତୀୟ ସାହିତ୍ୟର ବୈଶିଷ୍ଟ୍ୟ ସମ୍ବନ୍ଧରେ ବିସ୍ତୃତ ଆଲୋଚନା କରିଥିଲେ।
ଦ୍ୱିତୀୟ ଦିବସର ପ୍ରଥମ ପର୍ଯ୍ୟାୟରେ ପରିଷଦର ବ୍ୟାପ୍ତି, ସାଙ୍ଗଠନିକ ସ୍ୱରୂପ ଓ ପରିଷଦର ବିଭିନ୍ନ କାର୍ଯ୍ୟକ୍ରମ ସମ୍ବନ୍ଧରେ ବିଶଦ ଆଲୋଚନା ହୋଇଥିଲା।ଦ୍ଵିତୀୟ କାଳାଂଶରେ ପ୍ରତ୍ୟେକ ଯୁବ ଲେଖକ "ନିଜର ପ୍ରିୟ ଲେଖକ କିଏ ଓ ମୁଁ କାହିଁକି ଲେଖେ" ଶୀର୍ଷକ ଆଲୋଚନା ଚକ୍ରରେ ଅଂଶ ଗ୍ରହଣ ପୂର୍ବକ ଯୁବ ପ୍ରାଣରେ ସାହିତ୍ୟ ଏବଂ ଭାଷାର ସଞ୍ଚାର ଦିଗରେ ନିଜର ମତ ଉପସ୍ଥାପନ କରିଥିଲେ।
ତୃତୀୟ କାଳାଂଶର ପ୍ରଥମ ଭାଗରେ ରାଜଧାନୀ କଲେଜର ଓଡ଼ିଆ ଅଧ୍ୟାପକ ଡ. ଦେବାଶିଷ ପାତ୍ର ଗଳ୍ପର ବିଭିନ୍ନ ଦିଗ ଉପରେ ଆଲୋଚନା କରି ନିଜର ଅନେକ ପୁରସ୍କୃତ ଗଳ୍ପର ଉଦାହରଣ ଦେବା ସହ ଯୁବ ଲେଖକମାନଙ୍କ ବିଭିନ୍ନ ପ୍ରଶ୍ନର ଉତ୍ତର ଦେଇଥିଲେ।
ଦ୍ଵିତୀୟ ଭାଗରେ ଇଂ ଅରୁଣ କୁମାର ସାହୁ ଆଧୁନିକ କବିତାର ବିଭିନ୍ନ ଦିଗ ଉପରେ ଆଲୋକପାତ କରିବା ସହ ନିଜ କବିତାର ଉଦାହରଣ ଦେଇ ଯୁଗପଯୋଗୀ ସାହିତ୍ୟ ରଚନା ନିମନ୍ତେ ଦିଗଦର୍ଶନ ଦେଇଥିଲେ।
ଯୁବ କବିମାନେ ସ୍ୱରଚିତ କବିତା ପାଠ କରିବା ପରେ ନବୀନ ସହିତ୍ୟିକମାନଙ୍କୁ ମାନପତ୍ର ଦେଇ ସମ୍ମାନୀତ କରାଯାଇଥିଲା। ପରବର୍ତ୍ତୀ ପର୍ଯ୍ୟାୟରେ ଯୁବ କବି ଶ୍ରୀ ବିଶ୍ଵନାଥ ଶତପଥୀଙ୍କ ବ୍ୟକ୍ତିଗତ ଗୀତ ପରେ ସମାରୋପ ଭାଷଣ ଦେଇଥିଲେ ଡ. ସନ୍ତୋଷ କୁମାର ମହାପାତ୍ର। ଓଡ଼ିଶାର ମହାନ ସାହିତ୍ୟିକମାନେ କିପରି ବିପରୀତ ପରିସ୍ଥିତିରେ କଷ୍ଟ ସହି ଓଡ଼ିଆ ଜାତିକୁ କାଳଜୟୀ ସାହିତ୍ୟ ଦେଇ ଯାଇଛନ୍ତି ସେ ବିଷୟରେ ଚର୍ଚ୍ଚା କରିବା ସହିତ ସେମାନଙ୍କ ପ୍ରଦର୍ଶିତ ମାର୍ଗରେ ଅଗ୍ରସର ହେବାକୁ ଯୁବ ସାହିତ୍ୟିକମାନଙ୍କୁ ସେ ଉତ୍ସାହିତ କରିଥିଲେ।
ପରିଷଦର ସମ୍ପାଦିକା ଶ୍ରୀମତୀ ପ୍ରତିଭା ପ୍ରିୟଦର୍ଶନୀ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟା ଡ. ସଂଘମିତ୍ରା ମହାପାତ୍ର, ସଦସ୍ୟ ଇଂ ସତ୍ୟଜିତ ନାୟକ ଓ ଡ ଅନୁପ ମାର୍ଥା ସମ୍ପୂର୍ଣ୍ଣ କାର୍ଯ୍ୟକ୍ରମର ପରିଚାଳନା କରିଥିଲେ
Comments
Post a Comment