ଶ୍ରୀରାମ ଜନ୍ମଭୂମୀ ତୀର୍ଥକ୍ଷେତ୍ର ଟ୍ରଷ୍ଟ ପକ୍ଷରୁ ଜିଲ୍ଲା ସ୍ତରୀୟ ନିଧି ସଂଗ୍ରହ ଅଭିଯାନର ଶୁଭାରମ୍ଭ
କେନ୍ଦ୍ରାପଡା, : ଅଯୋଧ୍ୟାର ଶ୍ରୀରାମ ଜନ୍ମଭୂମୀରେ ଏକ ଭବ୍ୟ ବିଶ୍ୱ ସ୍ତରୀୟ ମନ୍ଦିର ନିର୍ମାଣ କରାଯିବ । ଗତବର୍ଷ ଏନେଇ ଭାରତର ସର୍ବୋଚ୍ଚ ନ୍ୟାୟାଳୟଙ୍କ ଏକ ୫ଜଣିଆ ଖଣ୍ଡପୀଠ ଚୁଡାନ୍ତ ନ୍ୟାୟ ଦେବାପରେ ମନ୍ଦିର ନିର୍ମାଣ ନିମନ୍ତେ ପଥ ସୁଗମ ହୋଇଛି । ଏଥିନିମନ୍ତେ ଗଠିତ ଶ୍ରୀରାମ ଜନ୍ମଭୂମୀ ତୀର୍ଥକ୍ଷେତ୍ର ଟ୍ରଷ୍ଟ ଭାରତବର୍ଷର କୋଟି କୋଟି ରାମଭକ୍ତଙ୍କ ସହାୟତା ଲୋଡିଛି । ପ୍ରତି ରାଜ୍ୟରେ ଗଠିତ ଶ୍ରୀରାମ ମନ୍ଦିର ନିଧି ସମର୍ପଣ ସମିତି ଏଥିନିମନ୍ତେ ୧୫ଦିନ ବ୍ୟାପି ସ୍ୱତନ୍ତ୍ର ଅଭିଯାନ ଆରମ୍ଭ କରିଛି । ଓଡିଶା ପୂର୍ବ ପ୍ରାନ୍ତରେ ଆଗାମୀ ମକର ସଂକ୍ରାନ୍ତୀ ଠାରୁ ଭକ୍ତ ଅଭିଯାନ ଆରମ୍ଭ ହୋଇ ଜାନୁଆରୀମାସ ୩୦ତାରିଖରେ ଶେଷ ହେବ । ସୋମବାର ପୂର୍ବାହ୍ନରେ ସମିତିର କେନ୍ଦ୍ରାପଡା ଶାଖା ପକ୍ଷରୁ ଜିଲ୍ଲା ସ୍ତରୀୟ ଅଭିଯାନର ଶୁଭ ଉଦଘାଟନ କରାଯାଇଛି । ସମିତି ପକ୍ଷରୁ ଗଠିତ ସଂଚାଳନ ଟିମର ସଂଯୋଜନ ମହନ୍ତ ହୃଷିକେଶ ଦାସ ମହାରାଜାଙ୍କ ପୈାରହିତ୍ୟରେ ସ୍ଥାନୀୟ ନୃସିଂହ ଟିକିରି ମଠ ପରିସରରେ ଏକ ଭବ୍ୟ ପରିବେଶରେ ଭଗବାନ ଶ୍ରୀରାମଙ୍କ ପୂଜାଅର୍ଚ୍ଚନା ଓ ହୋମ ଯଜ୍ଞ କରାଯାଇ ଅଭିଯାନର ଶୁଭାରମ୍ଭ କରାଯାଇଛି । ଏଥିରେ ଜିଲ୍ଲାର ବହୁ ମଠ, ମନ୍ଦିର, ଆଧ୍ୟାତ୍ମିକ ତଥା ସାମାଜିକ ସଂଗଠନ, ସାହିତ୍ୟିକ ଓ ସାଂସ୍କୃତିକ କର୍ମୀମାନେ ଯୋଗଦେଇ ନିଧି ସଂଗ୍ରହ ଅଭିଯାନକୁ ଶୃଙ୍ଖଳିତ ଭାବେ ସମ୍ପାଦନ କରିବା ସହ ଜିଲ୍ଲାର ପ୍ରତି ପରିବାରକୁ ଅଭିଯାନ ସହ ଯୋଡିବା ଉପରେ ଗୁରୁତ୍ୱାରୋପ କରିଥିଲେ । ସଂଚାଳନ ସମିତିର ସଦସ୍ୟ ଭାବେ ଅନ୍ୟମାନଙ୍କ ମଧ୍ୟରେ ସ୍ୱାମୀ ଅନିର୍ବାଣା ଗିରି, ସ୍ୱାମୀ ଆନନ୍ଦାନନ୍ଦ ଗିରି, ସ୍ୱାମୀ ବିଶ୍ୱରୂପାନନ୍ଦ ଗିରି, ମହନ୍ତ ପରାସର ଦାସ ମହାରାଜ, ନବକିଶୋର ଦାସ ମହାରାଜ, ସ୍ୱାମୀ ଯଶୋଦାନନ୍ଦ ମହାରାଜ ଅଧିକାରୀ, ଅଚ୍ୟୁତାନନ୍ଦ ଦାସ ମହାରାଜ, ଅଭୟ ଚରଣ ଦାସ ମହାରାଜ, ଡଃ.ସର୍ବେଶ୍ୱର ସେଣ, ବ୍ରହ୍ମ ଅବଧୂତ ସୁବ୍ରତ ବାବା, ସରୋଜରାଜ ସିଂ, ପ୍ରମୋଦ କର, ଦତହରି ପଣ୍ଡା, ମାନସ ମହାନ୍ତି ପ୍ରମୁଖ ଉପସ୍ଥିତ ରହି ନିଧ ସଂଗ୍ରହ ଅଭିଯାନରେ ଜନସହଭାଗୀତା ଉପରେ ବକ୍ତବ୍ୟ ରଖିବା ସହ ଅଯୋଧ୍ୟାରେ ବିଶ୍ୱ ସ୍ତରୀୟ ପ୍ରମୁଖ ତୀର୍ଥକ୍ଷେତ୍ର ଶ୍ରୀରାମ ମନ୍ଦିର ନିର୍ମାଣରେ ପ୍ରତି ଗାଁକୁ ଯୋଡାଯାଇ ପାରିଲେ ଏହାଏକ ଗୈାରବ ହୋଇପାରିବ ବୋଲି ମତବ୍ୟକ୍ତ କରିଥିଲେ । ଶ୍ରୀରାମଙ୍କ ଜନ୍ମଭୂମୀରେ ଭବ୍ୟ ମନ୍ଦିର ନିର୍ମାଣରେ ସମସ୍ତେ ସମର୍ପିତ ଭାବନାର ସହ କାର୍ଯ୍ୟକଲେ ହିଁ ଏହା ଗତ ୪୯୨ବର୍ଷ (୧୫୨୮ମସିହାରୁ - ୨୦୨୦)ମଧ୍ୟରେ ବଳିଦାନ ନେଇଥିବା ୪ଲକ୍ଷରୁ ଉର୍ଦ୍ଧ୍ୱ ରାମଭକ୍ତମାନଙ୍କ ନିମନ୍ତେ ପ୍ରକୃତ ଶ୍ରଦ୍ଧାଞ୍ଜଳି ହୋଇପାରିବ ବୋଲି ଅଭିଯାନ ଶୁଭାରମ୍ଭ କାର୍ଯ୍ୟକ୍ରମରେ ଯୋଗଦେଇ ବିଶ୍ୱ ହିନ୍ଦୁ ପରିଷଦର ରାଜ୍ୟ ସଂଘଠନ ମନ୍ତ୍ରୀ ଆନନ୍ଦଜୀ ପାଣ୍ଡେ କହିଥିଲେ । ଏଥିସହିତ ପ୍ରାନ୍ତ ଧର୍ମ ପ୍ରସାର ପ୍ରମୁଖ ପଣ୍ଡିତ ସୁଧିର ନନ୍ଦ ମଧ୍ୟ ଏହି କାର୍ଯ୍ୟକ୍ରମରେ ଯୋଗଦେଇ ରାଷ୍ଟ୍ରୀୟ ଅସ୍ମିତାର ପୁନଃସ୍ଥାପନ ନିମନ୍ତେ ସମସ୍ତ ହିନ୍ଦୁ ସମାଜ ଲିଙ୍ଗ, ଜାତି, ବର୍ଗ ଭାଷା, ସଂପ୍ରଦାୟ, କ୍ଷେତ୍ର ଆଦିକୁ ଭୁଲି ଏକାତ୍ମ ଭାବେ ଶ୍ରୀରାମଙ୍କ ସେବାରେ ସମର୍ପିତ ହେବାକୁ ଶ୍ରୀ ପାଣ୍ଡେ ଆହ୍ୱାନ ଦେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ଅଭିଯାନ ପ୍ରମୁଖ ବିନୋଦବିହାରି ଦାସ, ହିସାବ ପ୍ରମୁଖ ବାଇଧର ରାଉତ, କାର୍ଯ୍ୟାଳୟ ପ୍ରମୁଖ ସଞ୍ଜୟ ପତ୍ରୀ ତଥା ଅନ୍ୟ ବରିଷ୍ଠ କାର୍ଯ୍ୟକର୍ତାଙ୍କ ଉପସ୍ଥିତିରେ ଜିଲ୍ଲାର ୯ଗୋଟି ଖଣ୍ଡ ଓ ୨ଟି ନଗର ସମିତିର କାର୍ଯ୍ୟକର୍ତାମାନେ ନିଜ ନିଜ ଅଚଂଳରେ ଅଭିଯାନ କାର୍ଯ୍ୟ ନିମନ୍ତେ ନିର୍ଦ୍ଧାରିତ କୁପନ ,ରସିଦ ବହି ଓ କରପତ୍ରକ ସଂଗ୍ରହ କରିଥିଲେ । ଶେଷରେ ଅକ୍ଷୟ କୁମାର ପାଣି ଧନ୍ୟବାଦ ଅର୍ପଣ କରିଥିଲେ । ଏହି ଅବସରରେ ଆଳି ଅଂଚଳର ରଶ୍ମିର-୍ଜନ ବେହୁରା ଏକ ଲକ୍ଷ ଏକ ହଜାର ଏକ ଟଙ୍କା ଏବଂ ଉକ୍ତ ଅଂଚଳର ଭାଗ୍ୟବତୀ ପଣ୍ଡା ଏକଲକ୍ଷ ଟଙ୍କାର ଚେକ ଶ୍ରୀରାମ ମନ୍ଦିର ନିର୍ମାଣାର୍ଥେ ନିଧି ସହାୟତା ରାଶି ପ୍ରଦାନ କରିଥିଲେ ।
ଭାରତର ପୁନର୍ଜାଗରଣର ଅଗ୍ରଦୂତ : ସ୍ୱାମୀ ବିବେକାନନ୍ଦ
ଡ. ସମନ୍ୱୟ ନନ୍ଦ
ଗୁୁରୁଦେବ ରବୀନ୍ଦ୍ର ନାଥ ଠାକୁର ଯେତେବେଳେ ଫ୍ରାନ୍ସ ଯାଇଥିଲେ ସେତେବେଳେ ତାଙ୍କର ସେଠାରେ ରହଣି କାଳରେ ଫ୍ରାନ୍ସର ଜଣେ ବିଦ୍ୱାନ ଓ ଐତିହାସିକ ରୋମା ରୋଲାଁଙ୍କ ସହ ତାଙ୍କର ସାକ୍ଷାତ ଓ କଥାବାର୍ତା ହୋଇଥିଲା । ରୋମା ରୋଲାଁ କେବେ ହେଲେ ଭାରତ ଆସି ନ ଥିଲେ । ଏହି କଥାବାର୍ତା ସମୟରେ ରୋମା ରୋଲାଁ ଗୁରୁଦେବ ରବୀନ୍ଦ୍ର ନାଥ ଠାକୁରଙ୍କୁ ପଚାରିଲେ ‘ମୁଁ ଭାରତକୁ ଜାଣିବାକୁ ଚାହୁଁଛି, ମୁଁ କିପରି ଜାଣି ପାରିବି? ’ ଏହାର ଉତରରେ ରବୀନ୍ଦ୍ର ନାଥ ଠାକୁର ତାଙ୍କୁ କହିଥିଲେ ଯେ ଯଦି ଆପଣ ଭାରତକୁ ଜାଣିବାକୁ ଚାହୁଁଛନ୍ତି ତେବେ ଆପଣ ରାମକୃଷ୍ଣ ପରମହଂସଙ୍କ ଜୀବନକୁ ବୁଝିବାକୁ ଚେଷ୍ଟା କରନ୍ତୁ । ଏହା ପରେ ରବୀନ୍ଦ୍ର ନାଥ ଠାକୁର ତାଙ୍କୁ ରାମକୃଷ୍ଣ ପରମହଂସଙ୍କ ସମ୍ପର୍କରେ କିଛି ଜଣାଇଲେ । ତେବେ ଯେପରିକି ପୂର୍ବରୁ ଉଲ୍ଲେଖ କରା ଯାଇଛି ରୋମା ରୋଲାଁ କେବେ ହେଲେ ଭାରତ ଆସି ନ ଥିଲେ ତେଣୁ ସେ ରବୀନ୍ଦ୍ର ନାଥ ଠାକୁର ଯାହା ରାମକୃଷ୍ଣଙ୍କ ବିଷୟରେ କହିଲେ ତାହା ସେ ବୁଝି ପାରି ନ ଥିଲେ । ରୋମା ରୋଲାଁ ଭାରତ ବିଷୟରେ କିଛି ବିଶେଷ ଜାଣି ନ ଥିବାରୁ ରାମକୃଷ୍ଣଙ୍କ ସମ୍ପର୍କରେ କିଛି ବୁଝି ପାରି ନ ଥିଲେ । ହେଲେ ପରବର୍ତୀ ସମୟରେ ସେ ରାମକୃଷ୍ଣଙ୍କ ବିଷୟରେ ରିସର୍ଚ କରି ରାମକୃଷ୍ଣଙ୍କ ଏକ ଅତ୍ୟନ୍ତ ଉତ୍କୃଷ୍ଟ ଜୀବନୀ ଲେଖିଥିଲେ । ସେ ଏଥିରେ ଲେଖିଲେ ଯେ - “ଭାରତର, ଭାରତର ସନାତନ ଧର୍ମର ଦଶ ହଜାର ବର୍ଷର ସାଧନା ଘନୀଭୂତ ହୋଇ ରାମକୃଷ୍ଣ ପରମହଂସଙ୍କ ରୂପରେ ଅବତରିତ ହୋଇଛି । ” ଏହା ପୂର୍ବରୁ ରୋମା ରୋଲାଁଙ୍କୁ ସେହି ସାକ୍ଷାତକାର ସମୟରେ ଗୁରୁଦେବ ରବୀନ୍ଦ୍ର ନାଥ ଠାକୁର କହିଥିଲେ ଯେ ରାମକୃଷ୍ଣଙ୍କୁ ଜାଣିବା ପାଇଁ ହେଲେ ସ୍ୱାମୀ ବିବେକାନନ୍ଦଙ୍କୁ ପଢନ୍ତୁ । ସ୍ୱାମୀ ବିବେକାନନ୍ଦଙ୍କ ନିକଟରେ ସବୁ କିଛି ସକାରାତ୍ମକ ରହିଛି ହେଲେ କୌଣସି ପ୍ରକାର ନକାରାତ୍ମକ ନାହିଁ । ସ୍ୱାମୀ ବିବେକାନନ୍ଦଙ୍କ ସମ୍ପର୍କରେ ଏହି କଥନ ଅକ୍ଷରେ ଅକ୍ଷରେ ସତ୍ୟ । ସ୍ୱାମୀ ବିବେକାନନ୍ଦଙ୍କୁ ଅଧ୍ୟୟନ କଲେ ସବୁବେଳେ ସର୍ବତ୍ର ସକାରାତ୍ମକତା ଦେଖିବାକୁ ମିଳେ । ତାଙ୍କର ବ୍ୟାଖ୍ୟାନ, କଥନ ଓ ଲେଖନୀରେ ସବୁବେଳେ ସକାରାତ୍ମତା ହିଁ ଝଲକ ଦେଖିବାକୁ ମିଳିଥାଏ । ନେତାଜୀ ସୁଭାଷ ଚନ୍ଦ୍ର ବୋଷ ସ୍ୱାମୀ ବିବେକାନନ୍ଦଙ୍କ ଏହି ସକାରାତ୍ମକତା ଅର୍ଥାତ ପଜିଟିଭିଟି ସମ୍ପର୍କରେ କହିଛନ୍ତି । ନେତାଜୀ ସୁଭାଷ ଚନ୍ଦ୍ର ବୋଷ କହନ୍ତି ଯେ “ଯଦି ଆପଣ ସ୍ୱାମୀ ବିବେକାନନ୍ଦଙ୍କୁ ଆପଣ ଶୋଇ ଶୋଇ ପଢିବେ ତେବେ ଆପଣ ଉଠି ଯିବେ, ଆପଣ ନିଜେ ଜାଣି ପାରିବେ ନାହିାଁ ସେହିପରି ଯଦି ଆପଣ ସ୍ୱାମୀ ବିବେକାନନ୍ଦଙ୍କୁ ବସି ପଢୁଛନ୍ତି ଆପଣଙ୍କୁ ଜଣା ପଡିବ ନାହିଁ ଯେ ଆପଣ କେତେବେଳେ ଠିଆ ହୋଇ ଯାଇଛନ୍ତି । ଯଦି ଆପଣ ସ୍ୱୀମୀ ବିବେକାନନ୍ଦଙ୍କୁ ଠିଆ ହୋଇ ପଡୁଛନ୍ତି ତେବେ ଆପଣ ଜାଣି ପାରିବେ ନାହିଁ ଓ କର୍ମରେ ରତ ହୋଇ ଯିବେ ଓ ଚାଲିବା ଆରମ୍ଭ କରି ଦେବେ । ଏହା ସ୍ୱାମୀ ବିବେକାନନ୍ଦଙ୍କ ଅଗ୍ନିବାଣ ଭଳି ଶବ୍ଦର ଶକ୍ତି ଅଟେ । ”ତେଣୁ ସ୍ୱାମୀ ବିବେକାନନ୍ଦଙ୍କ ବାଣୀରେ କେତେ ଓଜସ୍ୱୀତା ଓ ସକାରାତ୍ମକତା ଭରି ହୋଇ ରହିଥିଲା ତାହା ଗୁରୁଦେବ ରବୀନ୍ଦ୍ର ନାଥ ଠାକୁରଙ୍କ ଠାରୁ ଆରମ୍ଭ କରି ନେତାଜୀ ସୁଭାଷ ବୋଷଙ୍କ ବକ୍ତବ୍ୟରୁ ସୁସ୍ପଷ୍ଟ । ତାଙ୍କର ବିଚାର ଓ ବାଣୀରେ ସ୍ୱାମୀ ବିବେକାନନ୍ଦ ସବୁବେଳେ ସକାରାତ୍ମକତାର ଆଉ ଏକ ଉଦାହରଣ ଉପରେ ଦୃଷ୍ଟି ପକାଇବା । ସ୍ୱାମୀ ବିବେକାନନ୍ଦ ଥରେ ଲଣ୍ଡନରେ ‘ଲାଇଫ ଆଫ୍ଟର ଡେଥ’ ଅର୍ଥାତ ମରୋଣପରାନ୍ତ ଜୀବନ ସମ୍ପର୍କରେ ବ୍ୟଖ୍ୟାନରେ ଉଦବୋଧନ ଦେଉଥିଲେ । ଏହି ବ୍ୟଖ୍ୟାନରେ ସ୍ୱାମୀ ବିବେକାନନ୍ଦ ମହାଭାରତରେ ବର୍ଣିତ ଯକ୍ଷ ପ୍ରଶ୍ନରୁ ତାଙ୍କର ଉଦବୋଧନ ପ୍ରାରମ୍ଭ କରିଥିଲେ । ଏହି ପ୍ରଶ୍ନ ମଧ୍ୟରେ ଏକ ଖୁବ ଚର୍ଚିତ ପ୍ରଶ୍ନ ରହିଥିଲା । ସେ ଧର୍ମରାଜ ଯୁଧିଷ୍ଠୀରଙ୍କୁ ପ୍ରଶ୍ନ କରିଥିଲେ ଯେ ବିଶ୍ୱରେ ସବୁଠାରୁ ବଡ ଆଶ୍ଚର୍ଯ୍ୟ କଣ । ଏହାର ଉତରରେ କହିଥିଲେ ଯେ ପ୍ରତିଦିନ ଲକ୍ଷ ଲକ୍ଷ ଲୋକ ମୃତ୍ୟବରଣ କରୁଛନ୍ତି ଓ ଯମ ଲୋକଙ୍କୁ ପ୍ରସ୍ଥାନ କରୁଛନ୍ତି । ଏହା ସତ୍ୱେ ବି ଲୋକ ମାନେ ନିଜର ଜୀବନକୁ ଅମର ବୋଲି ଭାବି ଜୀବନ ଜୀଇଁ ଥାନ୍ତି, ଏହା ହିଁ ସବୁଠାରୁ ବଡ ଆଶ୍ଚର୍ଯ୍ୟ । ଯକ୍ଷ ଧର୍ମରାଜ ଯୁଧୀଷ୍ଠିରଙ୍କ ପ୍ରଶ୍ନର ଉତରରେ ଖୁସି ହୋଇ ତାଙ୍କର ସମସ୍ତ ଭାଇ ମାନଙ୍କୁ ଜୀବିତ କରି ଦେଇଥିଲା । ସେ ଯୁଧୀଷ୍ଠିରଙ୍କ ଉତରରେ ସନ୍ତୁଷ୍ଟ ହୋଇ ଯାଇଥିଲା । ହେଲେ ସ୍ୱାମୀ ବିବେକାନନ୍ଦ ତାଙ୍କ ବ୍ୟାଖ୍ୟାନରେ ଯୁଧିଷ୍ଠୀରଙ୍କ ଉତରରେ ସନ୍ତୁଷ୍ଟ ହୋଇ ନ ଥିଲେ । ସେ ତାଙ୍କ ଉଦବୋଧନରେ କହିଥିଲେ ଯେ “ମୁଁ ବୁଝି ପାରୁ ନାହିଁ ଏଥିରେ କଣ ଆଶ୍ଚର୍ଯ୍ୟ ରହିଛି । କାରଣ ବାସ୍ତବରେ ମନୁଷ୍ୟର ସ୍ୱରୂପ ତ ସଚ୍ଚିଦାନନ୍ଦ ସ୍ୱରୂପ ଅଟେ । ସେ ନିଜେ ସେହି ବ୍ରହ୍ମର ଅଂଶବିଶେଷ । ମନୁଷ୍ୟର ଆତ୍ମା ଅଜର- ଅମର । ତେଣୁ ମନୁଷ୍ୟ ଅଜର- ଅମର ଓ ଆନନ୍ଦର ଭାଗୀ ଆତ୍ମା । ଏହା ମନୁଷ୍ୟକୁ ସବେବେଳେ ମନେ ରହିଥାଏ । ତେଣୁ ଲକ୍ଷ ଲକ୍ଷ ଲୋକଙ୍କ ମୃତ୍ୟୁକୁ ପ୍ରତିଦିନ ଦେଖିବା ପରେ ମଧ୍ୟ ସେ ଯଦି ସେ ନିଜର ଅମରତ୍ୱକୁ ଧ୍ୟାନରେ ରଖେ ତେବେ ଏଥିରେ ଆଶ୍ଚର୍ଯ୍ୟ ହେବାର କଣ ଅଛି । ” ଏହା ସ୍ୱାମୀ ବିବେକାନନ୍ଦଙ୍କ ସକାରାତ୍ମକତାର ଚରମ ନିଦର୍ଶନ ଅଟେ । ଏହି ବିଷୟକୁ ନେଇ ତାଙ୍କର ଏକ କବିତା ମଧ୍ୟ ରହିଛି । ସ୍ୱୀମୀ ବିବେକାନନ୍ଦ ନାସ୍ତିକତାର ସଂଜ୍ଞା ବଦଳାଇ ଦେଇଥିଲେ । ସେ କହୁଥିଲେ ଯେ ପୂର୍ବରୁ ନାସ୍ତିକ ତାକୁ କୁହା ଯାଉଥିଲା ଯାହାର ଇଶ୍ୱରଙ୍କ ଉପରେ ବିଶ୍ୱାସ ନାହିଁ । ମୁଁ କହୁଛି ସେ ହେଉଛି ନାସ୍ତିକ ଯାହାର ନିଜ ଉପରେ ବିଶ୍ୱାସ ନାହିଁ । ତାଙ୍କ ବାଣୀ ଓ ଲେଖନୀ ସବୁବେଳେ ମନୁଷତ୍ୱକୁ ଶକ୍ତି ପ୍ରଦାନ କରି ଆସିଛି । ସେ ଦୁର୍ବଳତାର ସବୁବେଳେ ବିରୋଧୀ ଥିଲେ । ସେ ଭାରତକୁ ଖୁବ ଭଲ ପାଉଥିଲେ । ଭାରତର ଲୋକଙ୍କୁ ଖୁବ ଭଲ ପାଉଥିଲେ । ଭାରତମାତାଙ୍କୁ ସେ ପରମ ବୈଭବରେ ପହଂଚାଇବା ପାଇଁ ସତତ ଚେଷ୍ଟିତ ଥିଲେ । ୧୮୯୭ ମସିହାରେ ଆମେରିକା ଓ ୟୁରୋପରେ ଭାରତ ଓ ହିନ୍ଦୁତ୍ୱର ଗୌରବର ବାନା ଉଡାଇ ସେ ଯେତେବେଳେ ଭାରତ ଫେରୁଥିଲେ ସେତେବେଳେ ଇଂଲଣ୍ଡରୁ ପ୍ରସ୍ଥାନ ପୂର୍ବରୁ ତାଙ୍କର ଜଣେ ଇଂରେଜ ବନ୍ଧୁ ତାଙ୍କୁ ପଚାରିଥିଲେ –‘ ବିକାଶିତ, ଐଶ୍ୱର୍ଯ୍ୟଶାଳୀ ଓ ଶକ୍ତିମାନ ପାଶ୍ଚାତ୍ୟ ଦେଶ ମାନଙ୍କରେ ଚାରି ବର୍ଷର ଅନୁଭୁତି ପାଇବା ପରେ ଏବେ ଆପଣଙ୍କୁ ନିଜର ମାତୃଭୂମି କିପରି ଲାଗିବ ?’ ଏହାର ଉତରରେ ସ୍ୱାମୀ ବିବେକାନନ୍ଦଙ୍କ ଉତର ଅତ୍ୟନ୍ତ ମାର୍ମିକ ଥିଲା । ସେ କହିଥିଲେ ‘ ନିଜ ଦେଶ ଛାଡି ଯିବା ପୂର୍ବରୁ ମୁଁ ଭାରତକୁ କେବଳ ଭଲ ପାଉଥିଲି, କିନ୍ତୁ ଏବେ ମୋ ପାଇଁ ଭାରତର ବାୟୁ, ଏପରିକି ଭାରତର ପ୍ରତ୍ୟେକ ଧୁଳିକଣ ସ୍ୱର୍ଗ ଠାରୁ ମଧ୍ୟ ଅଧିକ ପବିତ୍ର । ଭାରତ- ଭୂମି ପବିତ୍ର ଭୂମି ଅଟେ । ସେ ମୋର ମା । ଭାରତ ହେଉଛି ମୋର ତୀର୍ଥ । ’ ... ଯେପରି ଦୂରରେ ଭାରତର ସମୁଦ୍ର ତଟ ଦେଖାଗଲା, ତାଙ୍କ ନୟନରେ ଅଶ୍ରୁର ଧାରା ବହିବାରେ ଲାଗିଲା । ହାତ ଯୋଡି ସେ ସେହି ସମୁଦ୍ର ତଟ ଆଡକୁ ଦେଖୁଥିଲେ ଯେପରିକି ସେ ସାକ୍ଷାତ ଭାରତ ମାଁଙ୍କର ଦର୍ଶନ କରୁଛନ୍ତି । ଜାହାଜ ଯେତେବେଳେ କୂଳରେ ଲାଗିଲା ସେ ତଳକୁ ଓହ୍ଲାଇଲେ ଓ ଭାରତ ଭୂମିରେ ପାଦ ରଖିବା ମାତ୍ରେ ସାଷ୍ଟାଙ୍ଗ ପ୍ରଣାମ କରି ତାର ଧୁଳିରେ ଏ ପ୍ରକାରରେ ଗଡ଼ିବା ଆରମ୍ଭ କଲେ ଯେପରି କି ଅନେକ ବର୍ଷ ପରେ କୌଣସି ଶିଶୁ ତା ମା କୋଳକୁ ଆସିଛି । ସେ ବାରମ୍ବାର ଭାରତ ଭୂମିକୁ ପ୍ରଣାମ କରୁଥିଲେ ଓ ତାର ଜୟଜୟକାର କରୁଥିଲେ । ସେଠାରେ ଉପସ୍ଥିତ ଥିବା ସାଧାରଣ ଲୋକ ମାନେ ଏହି ଦୃଶ୍ୟକୁ ଦେଖି ଆତ୍ମ ବିଭୋର ହୋଇ ଉଠୁଥିଲେ । ସ୍ୱାମୀ ବିବେକାନନ୍ଦ ସ୍ୱଷ୍ଟ ଶବ୍ଦରେ କହୁଥିଲେ ଯେ ଆମର ରାଷ୍ଟ୍ରର ଆଦର୍ଶ ଓ ମାନକ ପାଶ୍ଚାତ୍ୟ ଦେଶରୁ ଭିନ୍ନ ହୋଇଥିବା କାରଣରୁ ସେମାନଙ୍କର ଅନ୍ଧାନୁକରଣ ଆମ ଦେଶର ପ୍ରକୃତିର ଅନୁରୂପ ହେବ ନାହିଁ । ଆମ ଦେଶର ସଂସ୍କୃତି ଆଧାରରେ ଆମେ ଆମର ରାସ୍ତା ତିଆରି କରିବା । ସେ କହିଲେ - ନୈତିକତା ଓ ସଦାଚାର ଆମର ରାଷ୍ଟ୍ରୀୟ ଜୀବନର ଆଧାର ଅଟେ । ଏହାକୁ ରାଷ୍ଟ୍ରୀୟ କର୍ତବ୍ୟ ରୂପେ ଗ୍ରହଣ କରା ଯିବା ଉଚିତ । କିନ୍ତୁ ଏହା ସେତେବେଳେ ସମ୍ଭବ ହେବ ଯେତେବେଳେ ଆମେ ନିଜର ସାଂସ୍କୃତିକ ସୀମା ପ୍ରତି ସଚେତନ ହେବା । ୟୁରୋପ ଓ ଆମେରିକାର ରାଷ୍ଟ୍ରୀୟ ଆଦର୍ଶ ଓ ମାନକ ଭିନ୍ନ ଅଟେ । ଆମେ ତାଙ୍କର ନକଲ କରି ପାରିବା ନାହିଁ । ତାଙ୍କର ନକଲ ଓ ପାଶ୍ଚାତ୍ୟ ଭାବର ଅନ୍ଧାନୁକରଣ ଆମ ପ୍ରକୃତିର ପ୍ରତିକୂଳ ହେବ । ଭାରତ, ଭାରତୀୟତା, ଭାରତୀୟ ସଂସ୍କୃତିର ପୁନର୍ଜାଗରଣର ଅଗ୍ରଦୂତ ଏଭଳି ଜଣେ ମହାପୁରୁଷଙ୍କୁ ତାଙ୍କର ଜୟନ୍ତୀରେ ନମନ ।
ହିନ୍ଦୁ ଧର୍ମ ପ୍ରାଚ୍ୟ ଦର୍ଶନର ପୁରୋଧା ଥିଲେ ବିବେକାନନ୍ଦ
ଉମା ଶଙ୍କର ପ୍ରସାଦ
ପୃଥିବୀରେ ଯେତେବେଳେ ଧର୍ମର ଗ୍ଲାନି ଘଟେ, ଅଜ୍ଞାନତା ଓ କୁସଂସ୍କାର ମନୁଷ୍ୟ ସମାଜକୁ ପଥଭ୍ରଷ୍ଟ କରେ, ସେତେବେଳେ ମହାପୁରୁଷଗଣ ଆବିର୍ଭାବ ହୁଅନ୍ତି । ମନୁଷ୍ୟ ସମାଜକୁ ନୂତନ ଦିଗ୍ଦର୍ଶନ ପ୍ରଦାନ କରି ଧର୍ମ ସଂସ୍ଥାପନ କରନ୍ତି । ନବ ଜାଗରଣ ଉନ୍ମେଷ ଘଟାଇ ସମାଜରେ ଶାନ୍ତି, ମୈତ୍ରୀ ଓ ପ୍ରୀତି ଆନୟନ କରନ୍ତି । ସ୍ୱାମୀ ବିବେକାନନ୍ଦ ଏତାଦୃଶ ଜଣେ ମହାପୁରୁଷ ୧୮୬୩ ମସିହା ଜାନୁୟାରୀ ୧୨ ତାରିଖ ପୈାଷ ସଂକ୍ରାନ୍ତିର ପୂଣ୍ୟ ପ୍ରଭାତରେ ଜନ୍ମ ଗ୍ରହଣ କରିଥିଲେ । ତାଙ୍କ ଅଜାଙ୍କ ନାମ ଦୁର୍ଗାଚରଣ ଦତ । ଦୁର୍ଗାଚରଣ ବିଷୟୀ ନ ଥିଲେ । ମାତ୍ର ୨୫ ବର୍ଷ ବୟସରେ ଶିଶୁ ପୁତ୍ରକୁ ଛାଡି ସନ୍ୟାସ ଅବଲମ୍ବନ କରିବା ନିମିତ ଗୃହତ୍ୟାଗ କଲେ । ଏହି ସନ୍ୟାସୀଙ୍କ ପୁତ୍ର ସ୍ୱର୍ଗୀୟ ବିଶ୍ୱନାଥ ଦତ ହେଉଛନ୍ତି ବିବେକାନନ୍ଦଙ୍କ ଜନକ ଏବଂ ମାତା ଥିଲେ ଭୁବନେଶ୍ୱରୀ ଦତ । ଭୁବନେଶ୍ୱରୀ ଦୁଇଟି କନ୍ୟାର ଜନନୀ ହେବାପରେ ପୁତ୍ର କାମନା କରି ଶ୍ରୀ ବିଶ୍ୱେଶ୍ୱରଙ୍କ ନିକଟରେ ପୂଜା ପ୍ରାର୍ଥନା କରିଥିଲେ । ଫଳରେ ସେ ସ୍ୱପ୍ନରେ ଦେଖିଥିଲେ ତୁଷାର ଧବଳ ରଜତ କ୍ରାନ୍ତିଧାରୀ କୈଳାସେଶ୍ୱର ତାଙ୍କ ସମ୍ମୁଖରେ ଦଣ୍ଡାୟମାନ । ଗର୍ଭ ସଂଚାରପରେ ପୈାଷ ପାର୍ବଣର ଆନନ୍ଦୋତ୍ସବ ମଧ୍ୟରେ ଜନ୍ମ ନେଇଥିଲେ ବିବେକାନନ୍ଦ । ଅତି ଶୈଶବକାଳରୁ ନରେନ୍ଦ୍ରନାଥ ଚକ୍ଷୁ ଦୁଇଟି ବନ୍ଦ କରିବା ମାତ୍ରେ ଦୁଇ ଭ୍ରୃଲତା ମଧ୍ୟରେ ଗୋଲାକାର ଦିବ୍ୟଜ୍ୟୋତି ଦର୍ଶନ କରୁଥିଲେ । ଦିବ୍ୟଜ୍ୟୋତି ଧ୍ୟାନ ଫଳରେ ମନ ସହିତ ବାସନାର ଦ୍ୱନ୍ଦ ନ ଥିବାରୁ ତାଙ୍କୁ କୈାଣସି ଦିନ ଧ୍ୟାନସ୍ଥ ହେବା ପାଇଁ ପ୍ରବଳ ଚେଷ୍ଟା କରିବାକୁ ପଡୁ ନ ଥିଲା । ବାଲ୍ୟକାଳରୁ ଭକ୍ତ ହନୁମାନଙ୍କ ଅଲୈାକିକ କାର୍ଯ୍ୟାବଳି ପ୍ରତି ଅତ୍ୟନ୍ତ ଆକୃଷ୍ଟ ହୋଇ ପର ଜୀବନରେ ଶିଷ୍ୟମାନଙ୍କୁ ମହାବୀରଙ୍କର ଆଦର୍ଶ ଅନୁସରଣ କରିବାକୁ ପରାମର୍ଶ ଦେଇଥିଲେ ।ପିତାମାତାଙ୍କ ସ୍ନେହ-କୋଳରେ ପ୍ରାଚୁର୍ଯ୍ୟ ମଧ୍ୟରେ ନରେନ୍ଦ୍ରନାଥଙ୍କ ଶୈଶବ ଓ କୈଶୋର ଜୀବନ ହସ, ଆନନ୍ଦ ଓ ଖେଳ କୈାତୁକରେ କଟିଥିଲା । ତାଙ୍କର ବାଲ୍ୟଜୀବନ ଅଲୈାକିକ ବା ଅସାଧାରଣ ନ ହେଲେ ମଧ୍ୟ ଅନୁପମ । ଷୋଳ ବର୍ଷ ବୟସରେ ସେ ଯେପରି ତୀକ୍ଷ୍ଣ ବିଦ୍ୟାବୁଦ୍ଧି, ପ୍ରବଳ ଆତ୍ମନିଷ୍ଠା ଓ ଜ୍ଞାନଜୀବନ ପ୍ରତି ପ୍ରବଳ ଆଗ୍ରହ ଦେଖାଇଥିଲେ ତାହା ବସ୍ତୁତଃ ଦୁର୍ଲ୍ଲଭ । ସେ ବାଲ୍ୟକାଳରୁ ପିତାଙ୍କଠାରୁ ସଙ୍ଗୀତ ଶିକ୍ଷା କରିଥିଲେ । ଗୀତ ବାଦ୍ୟରେ ମଧ୍ୟ ଦକ୍ଷତା ଅର୍ଜନ କରିଥିଲେ । ଏପରି ମେଧାବୀ, ତେଜସ୍ୱୀ, ଚଚଂଳ ଚପଳ ବାଳକ ଗୋଟିଏ ଦିଗରେ ଯେପରି ପରିହାସ ରସିକ, କ୍ରୀଡାପ୍ରୀୟ ଓ ଉଗ୍ରସ୍ୱଭାବ ଥିଲେ ଅପର ଦିଗରେ ସେହିପରି ଗଭୀର ଚିନ୍ତାଶୀଳ, ଧର୍ମପରାୟଣ, ଦୟାଳୁ ଓ ବନ୍ଧୁବତ୍ସଳ ଥିଲେ । ପ୍ରବେଶିକା ପରୀକ୍ଷାରେ ଉତୀର୍ଣ୍ଣ ହୋଇ କଳେଜରେ ପ୍ରବେଶ କରିବା ପରଠାରୁ ଘଟଣାର ଘାତ ପ୍ରତିଘାତ ଫଳରେ ନରେନ୍ଦ୍ରଙ୍କର ସହଜ ଓ ସ୍ୱାଭାବିକ ଜୀବନର ଗୋଟିଏ ବିଚିତ୍ର ରହସ୍ୟମୟ ଜଟିଳ ଅଧ୍ୟାୟ ଆରମ୍ଭ ହେଲା ।୧୮୭୯ ଖ୍ରୀଷ୍ଟାବ୍ଦରେ ମାତ୍ର ଅଠର ବର୍ଷ ବୟସରେ କଲେଜରେ ପ୍ରବେଶ କଲେ । କଲେଜରେ ଥିବା ସମୟରେ ମ୍ୟାଲେରିଆରେ ଆକ୍ରାନ୍ତ ହୋଇ ସେହି ବର୍ଷ କଲେଜ ଛାଡିଲେ । ପର ବର୍ଷ ସେ ଆସେମ୍ବ ଇନ୍ ଷ୍ଟିଚ୍ୟୁସନରେ ନାମ ଲେଖାଇ ପଢିଲେ । ଏକ ସୁଲଭ ଉଦ୍ଧାମ କଳ୍ପନାପ୍ରବଣ ପ୍ରତିଭାର ଅଧିକାରୀ ହୋଇ ନରେନ୍ଦ୍ରନାଥ ନିବିଷ୍ଟ ମନରେ ଦର୍ଶନ ଶାସ୍ତ୍ର ଅଧ୍ୟୟନ କରିଥିଲେ । ଏଫ୍.ଏ ପରୀକ୍ଷା ପୂର୍ବରୁ ସେ ମିଲ ପ୍ରମୂଖ ପାଶ୍ଚାତ୍ୟ ନୈୟାୟିକମାନଙ୍କ ମତବାଦ ସହିତ ପରିଚିତ ହୋଇଥିଲେ ଏବଂ ହିଉମ୍ ଓ ହାରବାର୍ଡଙ୍କ ଦାର୍ଶନିକ ଗ୍ରନ୍ଥମାନ ପଢିବାକୁ ଆରମ୍ଭ କରିଥିଲେ । ଶ୍ରୀରାମକୃଷ୍ଣଙ୍କ ସାକ୍ଷାତ୍ ଦିନେ କଲିକତା ଶିମଳାପଲ୍ଲୀରେ ରହୁଥିବା ସୁରେନ୍ଦ୍ରନାଥ ମିତ୍ର ରାମକୃଷ୍ଣଙ୍କୁ ନିଜ ଗୃହକୁ ଡାକି ଆଣିଥିଲେ । ଏକ ଆନନ୍ଦ ଉତ୍ସବର ଆୟୋଜନ କରାଯାଇଥିଲା । ସେ ଦିନ ଜଣେ ସୁକଣ୍ଠ ଗାୟକଙ୍କର ଅଭାବ ହେବାରୁ ସେ ନିଜ ପଡୋଶୀ ନରେନ୍ଦ୍ରନାଥଙ୍କୁ ଡାକିଲେ । ଠାକୁରଙ୍କ ସହିତ ନରେନ୍ଦ୍ରନାଥଙ୍କର ଏହା ଥିଲା ପ୍ରଥମ ସାକ୍ଷାତ୍ । ତାଙ୍କର ସୁଲଳିତ କଣ୍ଠରୁ ସଙ୍ଗୀତ ଶୁଣି ଠାକୁର ସମଧିକ ପ୍ର୍ରୀତ ହୋଇଗଲେ ଓ ବିଦାୟ ସମୟରେ ତାଙ୍କର ପରିଚୟ ଗ୍ରହଣ କରି ନରେନ୍ଦ୍ରନାଥଙ୍କୁ ଦକ୍ଷିଣେଶ୍ୱର ଯିବା ନିମିତ ଅନୁରୋଧ ଜଣାଇଲେ ।ଏହା ମଧ୍ୟରେ ନରେନ୍ଦ୍ରନାଥ ଏଫ୍.ଏ ପରୀକ୍ଷା ସକାଶେ ବ୍ୟସ୍ତ ରହି ଦକ୍ଷିଣେଶ୍ୱର ଯିବା କଥା ଭୁଲିଗଲେ । ଏଫ୍.ଏ ପରୀକ୍ଷା ଶେଷ ହେବା ପରେ ତାଙ୍କର ପିତା ବିବାହ କରିବା ପାଇଁ ତାଙ୍କୁ କହିଲେ । ଆଜନ୍ମ ବିବାହ-ବିତୃଷ୍ଣ ନରେନ୍ଦ୍ର ଏ ବିଷୟରେ ଭୀଷଣ ଆପତି ଉଠାଇଲେ । ଶ୍ରୀରାମକୃଷ୍ଣଙ୍କର ଗୃହୀ ଭକ୍ତମାନଙ୍କ ମଧ୍ୟରେ ରାମଚନ୍ଦ୍ର ଦତ ଅନ୍ୟତମ । ସେ ନିୟମିତ ବିଶ୍ୱନାଥଙ୍କ ଗୃହକୁ ଆସୁଥିଲେ । ତାଙ୍କୁ ନରେନ୍ଦ୍ରନାଥ ବିବାହ ପ୍ରତି ବିତୃଷ୍ଣା ବିଷୟରେ ମନ ଖୋଲି କହିଲେ । ରାମଚନ୍ଦ୍ର ନରେନ୍ଦ୍ରନାଥଙ୍କ ଯୁକ୍ତି ଶୁଣିବା ପରେ କହିଲେ, ଯଦି ପ୍ରକୃତ ସତ୍ୟ ଲାଭ କରିବା ପାଇଁ ଇଛା ଥାଏ ତେବେ ବ୍ରାସ୍ମସମାଜ ଇତ୍ୟାଦି ସ୍ଥାନରେ ନ ବୁଲି ଦକ୍ଷିଣେଶ୍ୱର ପରମହଂସ ଦେବଙ୍କ ନିକଟକୁ ଯାଅ । ନରେନ୍ଦ୍ରନାଥ ମନେ ମନେ ଭାବିଲେ ଓ ଦକ୍ଷିଣେଶ୍ୱର ଯିବାର ସମ୍ମତି ପ୍ରକାଶ କଲେ । ଦୁଇ ଚାରି ଜଣ ବନ୍ଧୁଙ୍କ ସହ ଦକ୍ଷିଣେଶ୍ୱରରେ ଉପସ୍ଥିତ ହେଲେ । ନରେନ୍ଦ୍ରନାଥଙ୍କୁ ଦେଖିବା ମାତ୍ରେ ଜଣେ ଚିରପରିଚିତ ଲୋକପରି ଶ୍ରୀରାମକୃଷ୍ଣ ସରଳଭାବରେ ଆଳାପ କରିବାକୁ ଲାଗିଲେ । ସଙ୍ଗୀତ ଓ କଥୋପକଥନ ଶେଷ ହେବା ପରେ ନରେନ୍ଦ୍ରଙ୍କୁ ଗୋଟିଏ ଏକାନ୍ତ ସ୍ଥାନକୁ ଡାକି ନେଇ ଠାକୁର କହିଲେ, ‘ତୁ କିପରି ଏତେ କାଳ ମୋତେ ଭୁଲିଯାଇଥିଲୁ? ତୁ ଆସିବୁ ବୋଲି ମୁଁ କେତେ ଦିନ ହେଲା ବାଟ ଚାହିଁ ବସିଛି । ବିଷୟୀ ଲୋକମାନଙ୍କ ସହ କଥା କହି କହି ମୋ ମୁହଁ ପୋଡିଗଲାଣି । ଆଜିଠାରୁ ତୋ ଭଳି ଜଣେ ଯଥାର୍ଥ ତ୍ୟାଗୀ ସହିତ କଥା କହି କହି ଶାନ୍ତି ପାଇବି’ । ଏହା କହୁ କହୁ ଠାକୁରଙ୍କ ଚକ୍ଷୁ ଅଶ୍ରୃସିକ୍ତ ହୋଇଉଠିଲା । ବିସ୍ମୟ-ବିମିଶ୍ର ବିହ୍ୱଳ ଦୃଷ୍ଟିରେ ନରେନ୍ଦ୍ରନାଥ ଏହି ଅଦ୍ଭୂତ ସନ୍ୟାସୀଙ୍କୁ ଚାହିଁ ରହିଲେ, କଅଣ କହିବେ ଭାବି ପାରିଲେ ନାହିଁ ।କ୍ରମଶଃ ସେ ଠାକୁରଙ୍କ ପ୍ରତି ଆକର୍ଷିତ ହୋଇ ଉଠିଲେ । କ୍ରମାଗତ ତିନି ବର୍ଷ ଠାକୁରଙ୍କୁ ନାନା ପ୍ରକାର ପରୀକ୍ଷା କରିସାରିବାପରେ ଶେଷରେ ସମ୍ପୂର୍ଣ୍ଣରୂପେ ଆତ୍ମ ସମର୍ପଣ କରିଦେଲେ । ତଥାପି ସେ ଠାକୁରଙ୍କୁ ଠିକ୍ ଭାବରେ ବୁଝିପାରୁ ନଥାନ୍ତି । ଦିନେ ଉତ୍ସୁକତା ସହକାରେ ଠାକୁରଙ୍କୁ ପ୍ରଶ୍ନ କଲେ, ‘ମହାଶୟ! ଆପଣ କଅଣ ଈଶ୍ୱରଙ୍କୁ ଦେଖିଛନ୍ତି’? ମୃଦୁ ହାସ୍ୟ ରଞ୍ଜିତ ଠାକୁରଙ୍କର ପ୍ରଶାନ୍ତ ମୁଖମଣ୍ଡଳ ଅପୂର୍ବ ଶାନ୍ତି ଓ ପୂଣ୍ୟ ବୈଭବରେ ଉଦ୍ଭାସିତ ହୋଇ ଉଠିଲା । ସେ ଇତସ୍ତତଃ ନ ହୋଇ ଉତର ଦେଲେ, ‘ବତ୍ସ! ମୁଁ ଈଶ୍ୱର ଦର୍ଶନ କରିଛି । ମୁଁ ତୁମକୁ ଯେପରି ପ୍ରତ୍ୟକ୍ଷ ଦେଖୁଛି ତାହାଠାରୁ ସ୍ପଷ୍ଟତର ଭାବରେ ଈଶ୍ୱରଙ୍କୁ ଦେଖୁଛି’ । ନରେନ୍ଦ୍ରଙ୍କ ବିସ୍ମୟକୁ ଶତଗୁଣ ବର୍ଦ୍ଧିତ କରି ପୁଣି କହିଲେ, ‘ତୁମେ ଦେଖିବାକୁ ଚାହୁଁଛ? ତୁମକୁ ମଧ୍ୟ ଦେଖାଇ ଦେଇପାରିବି, ଯଦି ତୁମେ ମୋ କହିବା ଅନୁସାରେ ଆଚରଣ କର’ । ଏକଦା ବ୍ରାହ୍ମଗଣଙ୍କର ଶ୍ରୀରାମକୃଷ୍ଣଙ୍କ ପ୍ରତି ଅଶୋଭନୀୟ ଆଚରଣରେ ବ୍ୟଥିତ ହୋଇ ନରେନ୍ଦ୍ର ବ୍ରାହ୍ମସମାଜ ପରିତ୍ୟାଗ କଲେ । ବାଲ୍ୟକାଳରୁ ନରେନ୍ଦ୍ରନାଥଙ୍କ ହୃଦୟରେ କୈାଣସି ସଂଶୟ ଉପସ୍ଥିତ ହେଲେ ତାହାର ମୀମାଂସା ନ କରିବା ପର୍ଯ୍ୟନ୍ତ ସେ ଶାନ୍ତି ଲାଭ କରୁ ନ ଥିଲେ । ଅହୋରାତ୍ର ଚିନ୍ତା କରି ମଧ୍ୟ ସେ ଶ୍ରୀରାମକୃଷ୍ଣଙ୍କ ସମ୍ବନ୍ଧରେ କୈାଣସି ସିଦ୍ଧାନ୍ତରେ ପହଂଚି ନ ପାରି ଅସ୍ଥିର ହୋଇଉଠିଲେ । ମାତ୍ର ତାଙ୍କର ଆତ୍ମବିଶ୍ୱାସ ଓ ଦୃଢତା ଏପରି ଅନମନୀୟ ଥିଲା ଯେ ସେ ଠାକୁରଙ୍କ ବିଷୟରେ ଅଧିକରୁ ଅଧିକ ଜାଣିବା ନିମନ୍ତେ ଓ ତାଙ୍କୁ ପରୀକ୍ଷା କରିବା ଲାଗି ତାଙ୍କ ନିକଟକୁ ଗମନାଗମନ କଲେ, ଏପରି କି ଦକ୍ଷିଣେଶ୍ୱରରେ ରାତ୍ରିରେ ମଧ୍ୟ ରହିଲେ । ଥରେ ସନ୍ଧ୍ୟା ସମୟରେ ସନ୍ଧ୍ୟାଆରତି ଘଂଟ ବାଜି ନ ଥାଏ । ଠାକୁର ନରେନ୍ଦ୍ରଙ୍କୁ ଚାହିଁ ହଠାତ୍ ତାଙ୍କ ଆସନରୁ ଉଠି ନରେନ୍ଦ୍ରଙ୍କ କାନ୍ଧ ଉପରେ ନିଜ ଡାହାଣ ଗୋଡକୁ ଥୋଇଦେଲେ । ତତ୍କ୍ଷଣାତ୍ ତାଙ୍କର ଭାବାନ୍ତର ଉପସ୍ଥିତ ହେଲା । ସେ ଅନୁଭବ କଲେ ଯେପରି ତାଙ୍କ ଆଖ ପାଖରେ ଦୃଶ୍ୟମାନ ପଦାର୍ଥଗୁଡିକ ଗୋଟିଏ ଅନନ୍ତ ସତାରେ ବିଲୀନ ହୋଇଯାଉଛି । କେବଳ ସେ ଏକା । ଶେଷରେ ତାଙ୍କ ଅହଂତ୍ୱର ସତା ବିଲୀନ ହେବାକୁ ଆରମ୍ଭ କଲା । ସେ ଭୟ ଓ ବିସ୍ମୟରେ ଚିତ୍କାର କରି କହିଲେ, ‘ଆହେ! ତୁମେ ଏ କ’ଣ କଲ’? ମୋର ଯେ ବାପା-ମାଆ ଅଛନ୍ତି ଠାକୁର ନରେନ୍ଦ୍ରଙ୍କ ବକ୍ଷରେ ହସ୍ତ ସ୍ଫର୍ଶମାତ୍ରେ ପୁନରାୟ ସ୍ୱାଭାବିକ ଅବସ୍ଥା ଫେରିଆସିଲା । ନରେନ୍ଦ୍ରନାଥ ପିତାମାତାଙ୍କ ପ୍ରତି ଅତ୍ୟନ୍ତ ଅନୁରକ୍ତ ଥିବାରୁ ଯେପରି ଠାକୁର ତାଙ୍କୁ ଆଉ ପ୍ରଭାବିତ କରି ନ ପାରନ୍ତି ସେଥିପାଇଁ ସାବଧାନ ରହିଲେ । କ୍ରମଶଃ ତାଙ୍କର ସଂସାର ପ୍ରତି ଅନାସକ୍ତ ଭାବ ଜାଗ୍ରତ ହେଲା । ଠାକୁରଙ୍କ ଭବିଷ୍ୟତ୍ବାଣୀ, ଲୀଳା ସମ୍ବରଣ ଓ ଅନ୍ତିମ ବାଣୀ ଦିନେ ନରେନ୍ଦ୍ରଙ୍କୁ ଦେଖାଇ ଠାକୁର ଉପସ୍ଥିତ ବ୍ୟକ୍ତିମାନଙ୍କୁ କହିଲେ, “ଏହି ଯେଉଁ ପିଲାଟିକୁ ଦେଖୁଛ ସେ ଜନ୍ମ ବେଳରୁ ବ୍ରହ୍ମଜ୍ଞାନୀ- ଏହାଙ୍କ ପରି ପିଲାମାନେ ନିତ୍ୟସିଦ୍ଧ । ଏମାନେ କେବେହେଲେ କାମିନୀ-କାଂଚନ ମାୟାରେ ଆବଦ୍ଧ ହୁଅନ୍ତି ନାହିଁ । ସ୍ୱାମୀ ଯୋଗାନନ୍ଦ ସ୍ୱାମିଜୀଙ୍କ ସମ୍ବନ୍ଧରେ କହିଛନ୍ତି, “ସ୍ୱାମିଜୀଙ୍କ ମଧ୍ୟରେ ଋଷିଙ୍କ ସମାଧି-ତୃଷ୍ଣା, ଶୁକଙ୍କର ମାୟା ଶୂନ୍ୟତା, ଶଙ୍କରଙ୍କ ଜ୍ଞାନ, ନାରଦଙ୍କ ଭକ୍ତି ଏକତ୍ର ମିଳିତ ହୋଇଥିଲା । ସେହି ହେତୁ ଠାକୁର ତାଙ୍କର ଭିନ୍ନ ଭିନ୍ନ ଭାବ ଲକ୍ଷ୍ୟ କରି ଥରକୁ ଥର ଗୋଟିଏ ନାମରେ ଅଭିହିତ କରୁଥିଲେ” । ଏହି ମୀମାଂସା ହିଁ ବିବେକାନନ୍ଦଙ୍କ ପ୍ରତି ସର୍ବାପେକ୍ଷା ଯୁକ୍ତିଯୁକ୍ତ ଓ ସମୀଚୀନ ଅଟେ ।୧୮୮୬ ଖ୍ରୀଷ୍ଟାବ୍ଦ ଜୁଲାଇ ମାସର ଶେଷ ଭାଗ । ଠାକୁରଙ୍କ ଗଳା ରୋଗ କ୍ରମଶଃ ଭୀଷଣ ହେଲା । ଠାକୁର ମୃଦୁ ସ୍ୱରରେ ଫିସ୍ ଫିସ୍ କରି କହିଲେ, “ନରେନ୍! ମୋର ପିଲାଏ ରହିଲେ । ତୁ ସମସ୍ତଙ୍କ ମଧ୍ୟରେ ବୁଦ୍ଧିମାନ ଓ ଶକ୍ତିମାନ୍ । ଏମାନଙ୍କୁ ରକ୍ଷା କରିବୁ ଓ ସତ୍ ପଥରେ ଚଳାଇବୁ । ମୁଁ ଶୀଘ୍ର ଦେହ ତ୍ୟାଗ କରିବି” । ଆଉ ଦିନେ ନରେନ୍ଦ୍ରଙ୍କୁ ଡାକି ସଜଳ ନୟନରେ କହିଲେ, “ବାବା! ଆଜି ତୋତେ ସର୍ବସ୍ୱ ଦେଇ ଫକିର ହେଲି” । ସେ ଦିନ ଥିଲା ୧୮୮୬ ଖ୍ରୀଷ୍ଟାବ୍ଦ ଅଗଷ୍ଟମାସ ଷୋହଳ ତାରିଖ ରବିବାର । ଭକ୍ତବୃନ୍ଦ ଶଯ୍ୟାକୁ ଘେରି ଠିଆ ହୋଇଥାଆନ୍ତି । ନରେନ୍ଦ୍ର ଭାବୁଛନ୍ତି ଯେଉଁ ଶକ୍ତି ଯୁଗେ ଯୁଗେ ଧର୍ମ ସଂସ୍ଥାପନ ଲାଗି କରୁଣାରେ ଅବତୀର୍ଣ୍ଣ ହୁଅନ୍ତି ଶ୍ରୀରାମକୃଷ୍ଣ କଅଣ ତାଙ୍କର ସମଷ୍ଟି! ସତରେ କଅଣ ଶ୍ରୀରାମକୃଷ୍ଣ ଯୁଗଧର୍ମ ପ୍ରବର୍ତକ ଅବତାର ପୁରୁଷ? ପରମହଂସ ରାମକୃଷ୍ଣ ଚକ୍ଷୁ ଖୋଲି ନରେନ୍ଦ୍ରଙ୍କୁ ପୂର୍ଣ୍ଣ ଦୃଷ୍ଟିରେ ଚାହିଁ କହିଲେ, କ’ଣ ନରେନ୍! ଏ ପର୍ଯ୍ୟନ୍ତ ବି ତୋ’ର ବିଶ୍ୱାସ ହୋଇ ନାହିଁ? ଯେ ରାମ, ସେ କୃଷ୍ଣ, ସେହି ଏଥର ଏକାଧାରରେ ଶ୍ରୀରାମକୃଷ୍ଣ, କିନ୍ତୁ ତୋ ବେଦାନ୍ତ ଦିଗରୁ ନୁହେଁ । କ୍ରମେ ବ୍ରାହ୍ମମୂହୁର୍ତ ଉପସ୍ଥିତ ହେବାମାତ୍ରେ ଠାକୁର ମହାସମାଧି ଯୋଗରେ ନଶ୍ୱର ଦେହ ତ୍ୟାଗ କଲେ । ସ୍ୱାମିଜୀଙ୍କର ବିଦେଶ ଯାତ୍ରା ୧୮୯୩ ଖ୍ରୀଷ୍ଟାବ୍ଦରେ ସ୍ୱାମିଜୀ ସମୁଦ୍ର ପଥରେ ଆମେରିକା ଯାତ୍ରା କଲେ । ତାଙ୍କର ଉଦ୍ଦେଶ୍ୟ ଥିଲା ଚିକାଗୋ ସହରରେ ଅନୁଷ୍ଠିତ ବିଶ୍ୱଧର୍ମ ମହାସଭାରେ ଯୋଗଦାନ କରିବା । ମାତ୍ର ପ୍ରାଥମିକ ଅବସ୍ଥାରେ ତାଙ୍କର ରହିବାରେ ଅସୁବିଧା ସୃଷ୍ଟି ହୋଇଥିଲା । ତାଙ୍କୁ ଅନେକ ଦୁର୍ବ୍ୟବହାରର ସମ୍ମୁଖୀନ ହେବାକୁ ପଡିଥିଲା । କିନ୍ତୁ ଜଣେ ଅଜ୍ଞାତ ଓ ନିଃସହାୟ ସମ୍ବଳହୀନ ତରୁଣ ସନ୍ୟାସୀ ବାଧା ବିପତି ଅତିକ୍ରମ କରି ସୁଦୂର ଆମେରିକା ଯାଇ ଯେଉଁ ଅଦ୍ଭୂତପୂର୍ବ ସାଫଲ୍ୟ ଅର୍ଜନ କରିଥିଲେ ତାହା ଆଜି ବେଦାନ୍ତରେ ପରିଣତ ହୋଇଛି । ସ୍ୱାମିଜୀ ନିଜର ସାରଗର୍ଭକ ଭାଷାରେ ପ୍ରାଚ୍ୟର ଦର୍ଶନକୁ ଏପରି ଭାବରେ ପରିବେଷଣ କରିଥିଲେ ଯେ କେବଳ ଯେ ଦର୍ଶକମାନେ ଓ ପାଶ୍ଚାତ୍ୟ ମହାବିଦ୍ୱାନମାନେ ତନ୍ମୟ ହୋଇଥିଲେ ତାହା ନୁହେଁ ସେମାନଙ୍କର ମନରେ ଥିବା ପ୍ରାଚ୍ୟ ଦର୍ଶନର ଭ୍ରମାତ୍ମକ ଧାରଣା ଦୂର ହୋଇ ପାରିଥିଲା । ମହୋଦଧି ସୋସାଇଟିର ସାଧାରଣ ସମ୍ପାଦକ ଶ୍ରୀଯୁକ୍ତ ଧର୍ମପାଳ ୧୮୯୪ ଏପ୍ରିଲ ମାସ ୧୨ ତାରିଖରେ “ଇଣ୍ଡିଆନ୍ ମିରର” ପତ୍ରିକାରେ ଲେଖିଥିଲେ-” ସ୍ୱାମୀ ବିବେକାନନ୍ଦଙ୍କର ସୁବୃହତ୍ ପ୍ରତିଶ୍ରୃତିଗୁଡିକ ଚିକାଗୋର ରାସ୍ତାଘାଟରେ ଟଙ୍ଗା ହୋଇଛି । ତା’ ତଳେ ସନ୍ୟାସୀ ବିବେକାନନ୍ଦ ଲିଖିତ ହୋଇଛି । ହଜାର ହଜାର ବିଭିନ୍ନ ସମ୍ପ୍ରଦାୟର ପଥିକ ଏହି ପ୍ରତିଶ୍ରୃତିଗୁଡିକ ପ୍ରତି ଭକ୍ତିର ସମ୍ମାନ ପ୍ରଦର୍ଶନ କରି ଚାଲିଯାଉଛନ୍ତି” । ସ୍ୱାମିଜୀ ୧୮୯୩-୧୮୯୬ ମସିହା ମଧ୍ୟରେ ଆମେରିକା, ଇଂଲଣ୍ଡ ଓ ଇଉରୋପର ବିଭିନ୍ନ ଦେଶରେ ପରିଭ୍ରମଣ କରି ହିନ୍ଦୁଧର୍ମର ପ୍ରାଚ୍ୟ ଦର୍ଶନର ଯେଉଁ ସୂକ୍ଷ୍ମ ତତ୍ୱ ବିଷୟରେ ଶିକ୍ଷା ପ୍ରଦାନ କରିଥିଲେ ତାହା ଏବେ ବି ପାଶ୍ଚାତ୍ୟ ଦାର୍ଶନିକମାନଙ୍କର ସ୍ମରଣୀୟ ହୋଇ ରହିଛି । ସ୍ତମ୍ବକାର ତଥା ସମ୍ପାଦକ, ମାର୍ଗଦର୍ଶୀ ଖୋରଧା, ମେନ୍ରୋଡ୍ ମୋ. ନଂ-୬୩୭୦୬୭୫୫୬୨
ଚୀନ୍ର ୧୦ହଜାର ସୈନ୍ୟ ପ୍ରତ୍ୟାହାର
ନୂଆଦିଲ୍ଲୀ,୧୧ା୧ : ଭାରତକୁ ନାଲିଆଖି ଦେଖାଉଥିବା ଚୀନ୍ ଏବେ ପଛଘୁଂଚା ଦେଇଛି । ପୂର୍ବ ଲଦାଖରେ ପ୍ରବଳ ଥଣ୍ଡା ଅନୁଭୂତ ହେଉଥିବାରୁ ଚୀନ୍ର ଯବାନମାନେ ଥରିବା ଆରମ୍ଭ କରିଛନ୍ତି । ସେମାନେ ଅସହ୍ୟ ଜାଡକୁ ସହ୍ୟ ନ କରିପାରି ପଛକୁ ଘୁଂଚି ଯାଇଛନ୍ତି । ପୂର୍ବରୁ ଏଲ୍ଏସିରେ ଭାରତୀୟ ସୀମାକୁ ଲାଗି ରହିଥିବା ଅଂଚଳରେ ଚୀନ୍ ମୁତୟନ କରିଥିବା ପ୍ରାୟ ୧୦ ହଜାର ଯବାନକୁ ପଛକୁ ହଟାଇ ନେଇଥିବା ଜଣାପଡିଛି । କୁହାଯାଉଛି ଯେ, ଲଦାଖରେ ତାପମାତ୍ରା ଏବେ ଶୂନରୁ କମ ଥିବାରୁ ଚୀନ୍ ଏଭଳି ପଦକ୍ଷେପ ନେଇଛି । ଅତ୍ୟଧିକ ଥଣ୍ଡା ଯୋଗୁ ଡ୍ରାଗନ ପଛକୁ ଚାଲି ଯାଇଥିବା ସରକାରୀ ସୂତ୍ରରୁ ଜଣାପଡିଛି । ମିଳିଥିବା ସୂଚନା ଅନୁଯାୟୀ, ଭାରତୀୟ ସୀମାକୁ ଲାଗି ରହିଥିବା ଅଂଚଳରେ ଚୀନ୍ର ପ୍ରାୟ ୧୦ହଜାର ଯବାନ ମୁତୟନ ହୋଇଥିଲେ । ଏଥିସହ ସେଠାରେ ସେମାନେ ଟ୍ରେନିଂ ମଧ୍ୟ ନେଇଥିଲେ । ହେଲେ ଏବେ ସେହି ସ୍ଥାନ ଖାଲି ହୋଇଯାଇଛି । ଗତବର୍ଷ ମାର୍ଚ୍ଚ-ଏପ୍ରିଲରୁ ଭାରତ ଓ ଚୀନ୍ ମଧ୍ୟରେ ଏଲ୍ଏସିକୁ ନେଇ ତିକ୍ତତା ଆରମ୍ଭ ହୋଇଥିଲା । ଏଥିପାଇଁ ଏଲ୍ଏସିର ବିଭିନ୍ନ ପ୍ରାନ୍ତରେ ବେଜିଂ ପକ୍ଷରୁ ପ୍ରାୟ ୫୦ ହଜାର ସୈନ୍ୟ ମୁତୟନ କରାଯାଇଥିଲା । ଏବେ ଭାରତୀୟ ସୀମାରୁ ପ୍ରାୟ ୨୦୦ କିମି ପରିଧି ମଧ୍ୟରୁ ଚୀନ୍ ତା’ର ୧୦ ହଜାର ଯବାନଙ୍କୁ ପ୍ରତ୍ୟାହାର କରିନେଇଛି । ଏହାପଛରେ ଅତ୍ୟଧିକ ଥଣ୍ଡା ମୁଖ୍ୟ କାରଣ ବୋଲି କୁହାଯାଉଛି । ଅନ୍ୟପକ୍ଷରେ ଚୀନ୍ ତା’ର ଯବାନମାନଙ୍କୁ ପ୍ରତ୍ୟାହାର କରିଥିଲେ ହେଁ ଭାରତୀୟ ଯବାନମାନେ ପୂର୍ବଭଳି ଶୂନରୁ କମ ଡିଗ୍ରୀ ତାପମାତ୍ରାରେ ମଧ୍ୟ ପୂର୍ବଭଳି ନିଜର ଡ୍ୟୁଟି ଜାରି ରଖିଛନ୍ତି । ଚୀନ୍ ସୀମାରେ ଅଧିକ ସଂଖ୍ୟକ ଯବାନ ମୁତୟନ କରିଥିବାରୁ ଭାରତ ଏହାର ଜବାବ ଦେବାକୁ ସମାନ ସଂଖ୍ୟକ ଯବାନ ମୁତୟନ କରିଥିଲା । ଗତବର୍ଷ ଜୁନ୍ ୧୫ରେ ଗଲୱାନ ଉପତ୍ୟକାର ଦୁଇ ଦେଶର ଯବାନଙ୍କ ମଧ୍ୟରେ ରକ୍ତାକ୍ତ ସଂଘର୍ଷ ହୋଇଥିଲା । ଏଥିରେ ୨୦ ଭାରତୀୟ ଯବାନ ସହିଦ ହେବା ପରେ ବିବାଦ ଉଗ୍ର ରୂପ ଧାରଣ କରିଥିଲା । ଫ୍ରିକେସନ୍ ପଏଣ୍ଟରେ ଉଭୟ ଦେଶ ବିପୁଳ ସଂଖ୍ୟାରେ ଯବାନଙ୍କ ସହ ଅସ୍ତ୍ରଶସ୍ତ୍ର ନିୟୋଜିତ କରିଥିଲେ ।
Comments
Post a Comment