ଆମ ରବି ଭାଇ


                         -ଗୋପାଳ ପ୍ରସାଦ ମହାପାତ୍ର

ତା ୧୬.୯.୨୦୨୦ ସନ୍ଧ୍ୟା ୬.୩୮ ମିନିଟ୍ । ମୁଁ ବସି ମୋ ପୁତୁରା ସହ କଥାବାର୍ତା କରୁଥାଏ । ଏହି ସମୟରେ ଗୋଟିଏ ଫୋନ ବାବିନ (ସରୋଜକାନ୍ତ ମହାପାତ୍ର)ଙ୍କ ପାଖରୁ ଆସିଲା । ସେ କହିଲା ଗୋପାଳ ଭାଇ ! ରବି ଭାଇ ଚାଲିଗଲେ ! ମୁଁ ହଠାତ୍ ଆଶ୍ଚର୍ଯ୍ୟ ହୋଇ ପଚାରିଲି, କୋଉ ରବିଭାଇ ? ସେ କହିଲା ପୁରୀର ରବୀନ୍ଦ୍ରନାଥ ପ୍ରତିହାରୀ । ତାଙ୍କୁ କରୋନା ହୋଇଛି ବୋଲି ଜଣାପଡିବା ପରେ ଭୁବନେଶ୍ୱରର ଆଦିତ୍ୟ ଅଶ୍ୱିନୀ ହସ୍ପିଟାଲକୁ ଅଣଯାଉଥିଲା ବେଳେ ବାଟରେ ଆମ୍ବୁଲାନ୍ସରେ ସେ ଚାଲିଗଲେ । ପୁରୀର ରଘୁଭାଇ ବର୍ତମାନ ମୋତେ ଏ ବିଷୟରେ କହିଲେ । ମୁଁ ଆପଣଙ୍କୁ ପ୍ରଥମେ ଜଣାଉଛି । ଏ ଶୁଣା ଘଟଣାଟିକୁ ହଠାତ ମୁଁ ବିଶ୍ୱାସ କରିପାରିଲି ନାହିଁ । ପୁଣି ଥରେ ପୁରୀକୁ ରଞ୍ଜନ ପାଖକୁ ରଘୁ ଭାଇଙ୍କ ପାଖକୁ ଫୋନ କରି ନିଶ୍ଚିତ ହେଲି ଯେ ଘଟଣାଟି ସତ୍ୟ । କାରଣ ଏହା ଏତେ ହଠାତ୍ ବିଶ୍ୱାସ କରି ହେଲାନି । ଏହା ଥିଲା ମୋ ପାଇଁ ଗୋଟିଏ ଅପ୍ରତ୍ୟାଶିତ ଘଟଣା । ପରେ ପରେ ଏ ବିଷୟରେ ଫୋନ ଦ୍ୱାରା ସମସ୍ତଙ୍କୁ ଅବଗତ କରାଇଲି, କିନ୍ତୁ ଯିଏ ବି ଶୁଣୁଥାଆନ୍ତି ସେମାନେ ବିଶ୍ୱାସ କରିପାରୁ ନଥାଆନ୍ତି । ମୋର ଖାଲି ମନେ ପଡିଯାଉଥାଏ ରବିଭାଇଙ୍କର ଚେହେରା, ତାଙ୍କ ସହ ଓ ତାଙ୍କ ସହିତ ବିତାଇଥିବା ପ୍ରତ୍ୟେକଟି ମୁହୂର୍ତ ଓ ପ୍ରତ୍ୟେକଟି ଘଟଣା ।


ରବି ଭାଇ  ଅର୍ଥାତ ଶ୍ରୀଯୁକ୍ତ ରବୀନ୍ଦ୍ରନାଥ ପ୍ରତିହାରୀ ଜନ୍ମଗ୍ରହଣ କରିଥିଲେ ମଣିକର୍ଣ୍ଣିକା ସାହିର ଗୋଟିଏ ସେବାୟତ ପରିବାରରେ । ତାଙ୍କ ପରିବାରର ମନ୍ଦିରରେ ସେବାକାର୍ଯ୍ୟ ହେଉଛି ପ୍ରତିହାର ଅର୍ଥାତ୍ ଦ୍ୱାର ରକ୍ଷକ ସେବା । ତାଙ୍କର ବାପା ବୈକୁଣ୍ଠନାଥ ପ୍ରତିହାରୀ ଥିଲେ ଜଣେ ସଂସ୍କୃତ ପଣ୍ଡିତ । ପୁରୁଣା ଭୁବନେଶ୍ୱରସ୍ଥ ବି.ଏମ ହାଇସ୍କୁଲରେ ସେ ଶିକ୍ଷକତା କରୁଥାଆନ୍ତି । ତାଙ୍କର ବୋଉ ମନୋରମା ପ୍ରତିହାରୀ ଜଣେ ଅତୀବ ସଂସ୍କାରିତ ସେବାୟତ ପରିବାରର ସୁଗୃହିଣୀ । ୧୯୪୩ ମସିହା ଜୁନ ୩ ତାରିଖରେ ଉଭୟଙ୍କ କୋଳ ମଣ୍ଡନ କରି ଜନ୍ମଗ୍ରହଣ କରିଥିଲେ ରବିଭାଇ ଅର୍ଥାତ୍ ରବୀନ୍ଦ୍ରନାଥ ପ୍ରତିହାରୀ । ପିଲାଟି ଦିନରୁ ସେ ଥିଲେ ନିର୍ଭୀକ ଓ କୁଶାଗ୍ର ବୁଦ୍ଧିସମ୍ପନ୍ନ ଏବଂ ପ୍ରଚଣ୍ଡ ସ୍ମୃତିଶକ୍ତିର ଅଧିକାରୀ । ଥରେ ମାତ୍ର ଦେଖିଥିବା ବା ଶୁଣିଥିବା ବିଷୟକୁ ଏକାଥରକେ ମନେ ରଖିବା ଥିଲା ତାଙ୍କର ଏକ ସହଜାତ ପ୍ରବୃତି; ଯାହାକି ପରବର୍ତୀ ପର୍ଯ୍ୟାୟରେ ସଂଘ କାର୍ଯ୍ୟ କରୁଥିବା ସମୟରେ ପ୍ରତ୍ୟେକ କାର୍ଯ୍ୟକର୍ତାମାନେ ମର୍ମେ ମର୍ମେ ଅନୁଭବ କରିଛନ୍ତି । ଭୁବନେଶ୍ୱରରେ ପାଠ ପଢ଼ୁଥିବା ସମୟରେ ବାଲ୍ୟ ଅବସ୍ଥାରେ ସେ ସଂଘର ସ୍ୱୟଂସେବକତ୍ୱକୁ ଅଙ୍ଗୀକାର କରିନେଇଥିଲେ । ବିଦ୍ୟାଳୟରେ ଅଧ୍ୟୟନ ସମୟରୁ ହିଁ ନେତୃତ୍ୱ ନେବାର ଗୁଣ ତାଙ୍କ ନିକଟରେ ପରିଲକ୍ଷିତ ହେଉଥିଲା । ଭୁବନେଶ୍ୱର ବି.ଏମ ହାଇସ୍କୁଲରେ ଜଣେ ଶିକ୍ଷକ ଥାଆନ୍ତି କ୍ଷୀରୋଦ ପଟ୍ଟନାୟକ । ସେ ହିଁ ଭୁବନେଶ୍ୱରର ସଂଘ କାର୍ଯ୍ୟର ସ୍ରଷ୍ଟା । ତାଙ୍କ ଦ୍ୱାରା ପୁରୁଣା ଭୁବନେଶ୍ୱରରେ ଆରମ୍ଭ ହୋଇଥିବା ସଂଘ ଶାଖାର ରବି ଭାଇ ଥିଲେ ମୁଖ୍ୟଶିକ୍ଷକ । ନିଜ ସହ ପଢ଼ୁଥିବା ସମସ୍ତ ସହପାଠୀଙ୍କୁ ସେ ଶାଖାକୁ ଡାକିକରି ନେଇଛନ୍ତି । ବୋଧହୁଏ ଏମିତି କେହି ସହପାଠୀ ନଥିବେ; ଯାହାଙ୍କୁ ସେ ଶାଖାକୁ ନେଇ ନାହାନ୍ତି । 

ବି.ଏମ ହାଇସ୍କୁଲର ଜଣେ ଗଣିତ ଶିକ୍ଷକ ଥାଆନ୍ତି ହାଲି ବାବୁ । ସେ ମୂଳତଃ  ବାମପନ୍ଥୀ ବିଚାରର । ସେ ସବୁବେଳେ ସଂଘ କାର୍ଯ୍ୟକୁ ବିରୋଧ କରନ୍ତି । କିନ୍ତୁ ରବିଭାଇ ଅତ୍ୟନ୍ତ ତାର୍କିକ ଢ଼ଙ୍ଗରେ ନିର୍ଭୀକତାର ସହ ତାଙ୍କ ସହ ବାର୍ତାଳାପ କରନ୍ତି । ଫଳତଃ ତାଙ୍କର ବାର୍ତାଳାପର ଯାଦୁକରୀ ପ୍ରଭାବରେ ତାଙ୍କର ସହଯୋଗୀମାନେ ପ୍ରଭାବିତ ହୋଇ ଶାଖାକୁ ଯିବାକୁ ଲାଗିଲେ । ଆମ ଉତ୍କଳ ପ୍ରାନ୍ତର ପୂର୍ବତନ ପ୍ରାନ୍ତ ସଂଘଚାଳକ ମାନନୀୟ ଅଶୋକ ଦାସ ମଧ୍ୟ ତାଙ୍କର ସହପାଠୀ ଥିଲେ । ସେ ବି.ଏମ ହାଇସ୍କୁଲରେ ନବମ ଶ୍ରେଣୀରୁ ପଢ଼ିବା ଆରମ୍ଭ କରିଥିଲେ । ରବି ଭାଇ ତାଙ୍କୁ ମଧ୍ୟ ଶାଖାକୁ ନେଇଥିଲେ ଏବଂ ସେହିଦିନ ଠାରୁ ସେ ସଂଘର ସ୍ୱୟଂସେବକତ୍ୱ ଗ୍ରହଣ କରିନେଲେ । ତାଙ୍କର କହିବା ମୁତାବକ ରବି ଭାଇଙ୍କ ଭିତରେ ନେତୃତ୍ୱ ନେବାର ଗୁଣଟି ଏକ ସହଜାତ ପ୍ରବୃତି ଭଳି ଥିଲା । ସହପାଠୀମାନେ ରବି ଭାଇଙ୍କୁ ବହୁତ ଶ୍ରଦ୍ଧା କରନ୍ତି । ସେମାନଙ୍କ ଭିତରେ ଘଟିଥିବା ଗଣ୍ଡଗୋଳ ଇତ୍ୟାଦିର ସମାଧାନ କରନ୍ତି ରବି ଭାଇ । ତେଣୁ ରବି ଭାଇଙ୍କ କଥା ସମସ୍ତେ ମାନନ୍ତି । ରବି ଭାଇ ମେଧାବୀ ଛାତ୍ର ହେବା ସହ ସମସ୍ତ ଶିକ୍ଷକଙ୍କର ଅତ୍ୟନ୍ତ ପ୍ରିୟ ଥିଲେ । ସବୁ ଶିକ୍ଷକମାନଙ୍କ ସହ ସଂଘ ବିଷୟରେ ବାର୍ତାଳାପ ନିର୍ଭୀକତାରେ ଓ ନିଃସଙ୍କୋଚରେ କରୁଥିଲେ । ସମସ୍ତଙ୍କୁ ସାଙ୍ଗରେ ନେଇ ଚାଲିବାର କୌଶଳଟି ରବି ଭାଇଙ୍କ ପାଖରେ ଥିଲା ବୋଲି ମାନନୀୟ ଅଶୋକ ଭାଇ ଉଲ୍ଲେଖ କରନ୍ତି । ପରବର୍ତୀ ପର୍ଯ୍ୟାୟରେ ରବି ଭାଇଙ୍କ ପ୍ରେରଣାରେ ହିଁ ମାନନୀୟ ଅଶୋକ ଭାଇ ସଂଘର କାର୍ଯ୍ୟକର୍ତା ଭାବରେ ସଂଘଶିକ୍ଷା ବର୍ଗ ଇତ୍ୟାଦି କରିବା ସହ ବିବିଧ ଦାୟିତ୍ୱ ମଧ୍ୟ ନେଇଥିଲେ । ତାଙ୍କର ମହାବିଦ୍ୟାଳୟ ଶିକ୍ଷା ସମ୍ପନ୍ନ ହୋଇଥିଲା ପୁରୀରେ । ପୁରୀ ନଗରର ସଂଘ କାର୍ଯ୍ୟକୁ ବଢ଼ାଇବାରେ ତାଙ୍କର ଯୋଗଦାନ ନିଶ୍ଚିତ ଭାବରେ ପ୍ରଣିଧାନଯୋଗ୍ୟ । 

ସ୍ନାତକ ଶିକ୍ଷା ସମାପ୍ତ ପରେ ସେ ଆଇନ ଶିକ୍ଷା ଗ୍ରହଣ କରିଥିଲେ । କିଛି ଦିନ ପାଇଁ ସଂଘର ପ୍ରଚାରକ ଭାବରେ କାର୍ଯ୍ୟ ମଧ୍ୟ କରିଥିଲେ । ପରେ କିଛି ଦିନ ସରକାରୀ ଚାକିରି ମଧ୍ୟ କରିଥିଲେ । ପରବର୍ତୀ ପର୍ଯ୍ୟାୟରେ ଘରର ଓ ସଂଘ କାର୍ଯ୍ୟର ଆବଶ୍ୟକତାକୁ ଉପଲବ୍ôଧ କରି ଅଧିବକ୍ତା ଭାବରେ ଓକିଲାତି ବୃତିକୁ ଗ୍ରହଣ କରିନେଇଥିଲେ । ଏଠାରେ ଉଲ୍ଲେଖନୀୟ ଯେ ତାଙ୍କ ପାଖରେ ପୁରୀ ଶ୍ରୀମନ୍ଦିରର ସେବାୟତ ଭାବରେ ଯାତ୍ରୀ ବ୍ୟବସାୟର ସୁଯୋଗ ଥିଲେ ମଧ୍ୟ ସେଥିରେ ଯେଉଁ ପ୍ରକାରର କାର୍ଯ୍ୟ କରିବାକୁ ହୁଏ ଜଣେ ସ୍ୱୟଂସେବକ ଭାବରେ ସେପରି କାର୍ଯ୍ୟରେ ଲିପ୍ତ ହେବା ଅନୁଚିତ ଭାବି ଯାତ୍ରୀ ବ୍ୟବସାୟ ମଧ୍ୟ କରିନଥିଲେ । କେବଳ କିଛି ପ୍ରମୁଖ ଯଜମାନଙ୍କ ସହ ଏ ଦୃଷ୍ଟିରୁ ତାଙ୍କର ସମ୍ପର୍କ ଥିଲା । ସଂଘର କାର୍ଯ୍ୟକର୍ତା ଭାବରେ ପ୍ରତ୍ୟେକ ସ୍ତରର ଦାୟିତ୍ୱ ନେଇ ପରିଶେଷରେ କ୍ଷେତ୍ର କାର୍ଯ୍ୟବାହ ପର୍ଯ୍ୟନ୍ତ ଦାୟିତ୍ୱ ସେ ତୁଲାଇଥିଲେ । ବହୁ ବର୍ଷ ଧରି ଉତ୍କଳ ପ୍ରାନ୍ତର ଶାରୀରିକ ପ୍ରମୁଖ ଦାୟିତ୍ୱ ନିର୍ବାହ କରିଥିଲେ । ୧୯୭୯ ମସିହା ପର୍ଯ୍ୟନ୍ତ ପ୍ରାନ୍ତ ଶାରୀରିକ ପ୍ରମୁଖ ଦାୟିତ୍ୱରେ ଥିଲେ । ୧୯୭୯ ମସିହାରେ ସହ ପ୍ରାନ୍ତ କାର୍ଯ୍ୟବାହ ଓ ୧୯୮୦ ମସିହାରୁ ୧୯୯୯ ମସିହା ପର୍ଯ୍ୟନ୍ତ ପ୍ରାନ୍ତ କାର୍ଯ୍ୟବାହ ଦାୟିତ୍ୱରେ ଥିଲେ । ୧୯୯୯ରେ ଆଗ୍ନେୟ କ୍ଷେତ୍ରର କ୍ଷେତ୍ରକାର୍ଯ୍ୟବାହ ଓ ୨୦୦୩ରେ ଯେତେବେଳେ କ୍ଷେତ୍ର ବଦଳି ପୂର୍ବକ୍ଷେତ୍ର ହେଲା ସେତେବେଳେ ପୂର୍ବ କ୍ଷେତ୍ରର ସହକ୍ଷେତ୍ର କାର୍ଯ୍ୟବାହ ଦାୟିତ୍ୱରେ ରହିଥିଲେ । ବହୁ ବର୍ଷ ଧରି ସଂଘଶିକ୍ଷା ବର୍ଗମାନଙ୍କର ମୁଖ୍ୟଶିକ୍ଷକ ଓ କାର୍ଯ୍ୟବାହ ଭାବେ ଦାୟିତ୍ୱ ମଧ୍ୟ ସମ୍ପନ୍ନ କରିଛନ୍ତି । ଜରୁରୀକାଳୀନ ପରିସ୍ଥିତିରେ (ଗଓଝଇ) ଆଇନରେ ଗିରଫ ହୋଇ ୧୯ମାସ କାଳ ଜେଲ ଯାତନା ମଧ୍ୟ ଭୋଗ କରିଛନ୍ତି । ତେଣୁ ଜଣେ ସଂଘର କାର୍ଯ୍ୟକର୍ତା ଭାବରେ ସବୁ ପ୍ରକାରର କାର୍ଯ୍ୟର ଅନୁଭବ ଥିଲା ତାଙ୍କର । 

ମୋର ରବିଭାଇଙ୍କ ସହ ସମ୍ପର୍କ ଘନିଷ୍ଠ ହେଲା ଜୁରୁରୀକାଳୀନ ପରିସ୍ଥିତି ପରେ । ମୁଁ ସେତେବେଳେ ପୁରୀରେ ପଢ଼ୁଥାଏ । ପ୍ରତ୍ୟକ୍ଷ ଭାବରେ ରବି ଭାଇଙ୍କ ସହ ଜଡ଼ିତ ମୁଁ ସେହି ସମୟରେ ହିଁ ହୋଇଥିଲି । ସେତେବେଳେ ରବି ଭାଇ ଥାଆନ୍ତି ଜିଲ୍ଲା କାର୍ଯ୍ୟବାହ ଓ ପ୍ରାନ୍ତ ଶାରୀରିକ ପ୍ରମୁଖ । ଜରୁରୀକାଳୀନ ପରିସ୍ଥିତି ଉଠିବା ପରେ ୧୯୭୭ରେ ସଂଘଶିକ୍ଷା ବର୍ଗ ନ ହୋଇ ସର୍ବତ୍ର ନୈପୁଣ୍ୟ ବର୍ଗ (ଆଜିର ପ୍ରାଥମିକ ଶିକ୍ଷା ବର୍ଗ) ହୋଇଥିଲା । ସେହି ବର୍ଗରେ ରବି ଭାଇ ଥାଆନ୍ତି କାର୍ଯ୍ୟବାହ ଓ ମୋର ବଡଭାଇ ଗୋକୁଳ ପ୍ରସାଦ ମହାପାତ୍ର ଥାଆନ୍ତି ମୁଖ୍ୟଶିକ୍ଷକ । ତାଙ୍କର କଠୋର ଅନୁଶାସନକୁ ମୁଁ ସେହି ବର୍ଗରେ ଅନୁଭବ କଲି । ଭଲ ଗୀତ ମଧ୍ୟ ଗାଆନ୍ତି । ମୋର ମନେ ପଡୁଛି ସେ ବର୍ଗରେ ଗୋଟିଏ ଦିନ ରାତିରେ ସମସ୍ତେ ଗୀତ ବୋଲିଥିଲେ । ରବି ଭାଇ ମଧ୍ୟ ଗୋଟିଏ ହିନ୍ଦୀ ଗୀତ ବୋଲିଥିଲେ । ଗୀତଟି ଥିଲା- “ମେଁ÷ ମଧୁ ସେ ଅନଭିଜ୍ଞ ଆଜଭୀ ଜୀବନଭର ବିଷପାନ କିୟା ହୈ.....” । ପ୍ରାନ୍ତ ଶାରୀରିକ ପ୍ରମୁଖ ଥିବା କାରଣରୁ ଆମ ନଗରରେ ହେଉଥିବା ସାପ୍ତାହିକ ବର୍ଗରେ ଆମର ଗଣ ନିଅନ୍ତି । ଗଣ ନେଲା ବେଳେ ଭାରି କଠୋର । ହଲିବାକୁ ମଧ୍ୟ ଦିଅନ୍ତି ନାହିଁ । ଭାରି ଭୟ ଲାଗେ । ସେ ଶାରୀରିକ ପ୍ରମୁଖ ଥିବା ବେଳେ ତାଙ୍କ ପରେ ଗୋଟିଏ ଭଲ ଶାରୀରିକ ପିଢ଼ିକୁ ମଧ୍ୟ ଠିଆ କରାଇଥିଲେ । ୧୯୭୭ ମସିହା ଡିସେମ୍ବର ମାସରେ ଭୁବନେଶ୍ୱରରେ ପରମ ପୂଜନୀୟ ସରସଂଘଚାଳକଙ୍କ କାର୍ଯ୍ୟକ୍ରମ ହୋଇଥିଲା । ସେଥିପାଇଁ ଯେଉଁ ଶାରୀରିକ ପ୍ରଦର୍ଶନ ହୋଇଥିଲା ତା’ର ପ୍ରସ୍ତୁତି ପାଇଁ ରବି ଭାଇ ସାରା ପ୍ରାନ୍ତ ପ୍ରବାସ କରି ଶାରୀରିକର ଅଭ୍ୟାସ କରାଇଥିଲେ । ପୁରୀରେ ମଧ୍ୟ ଆମମାନଙ୍କର ଅଭ୍ୟାସ ନେଇଥିଲେ । ଫଳତଃ ପୂଜନୀୟ ବାଳାସାହେବଜୀ ଓଡ଼ିଶାର ଶାରୀରିକ ପ୍ରଦର୍ଶନର ଭୂୟସୀ ପ୍ରଶଂସା କରିଥିଲେ । ସେହି କାର୍ଯ୍ୟକ୍ରମର ପଥସଂଚଳନରେ ଘୋଷବାଦନ ସମୟରେ ସେ ପଣବ ବଜାଇଥିଲେ । ତେଣୁ ସଂଘ କାର୍ଯ୍ୟର ଆବଶ୍ୟକତା ଅନୁସାରେ ସବୁ ପ୍ରକାରର କାର୍ଯ୍ୟ ସେ ଅତ୍ୟନ୍ତ ଦକ୍ଷତାର ସହ କରିଛନ୍ତି । 

ପରବର୍ତୀ ପର୍ଯ୍ୟାୟରେ ବିଭାଗ କାର୍ଯ୍ୟବାହର ଦାୟିତ୍ୱ ତାଙ୍କ ଉପରେ ଆସିଲା । ବିଭାଗ କାର୍ଯ୍ୟବାହ ଦାୟିତ୍ୱ ସହିତ ପ୍ରାନ୍ତର ଶାରୀରିକ ପ୍ରମୁଖ ଦାୟିତ୍ୱରେ ମଧ୍ୟ ଥିଲେ । ଶାଖାରେ ଆମ ସହ କବାଡି ବହୁବାର ଖେଳିଥିବାର ଅନୁଭୂତି ଆଜି ମଧ୍ୟ ସ୍ମୃତି ପଟଳରେ ଖେଳିଯାଉଛି । ତାଙ୍କର ବୈଠକ ନେବାର ଶୈଳୀ ମଧ୍ୟ ନିଆରା ଥିଲା । ଗୋଟିଏ ଥର ଆମର ନଗରର ବୈଠକରେ ବହୁତ ଛୋଟ ଛୋଟ ବିଷୟର ଚର୍ଚ୍ଚା ଆମ ସହ କରିଥିଲେ । ଯେପରିକି ଅଖିଳ ଭାରତୀୟ କାର୍ଯ୍ୟକାରିଣୀ, ପ୍ରାନ୍ତ କାର୍ଯ୍ୟକାରିଣୀ, ବିଭାଗ ଓ ଜିଲ୍ଲା କାର୍ଯ୍ୟକାରିଣୀ ଇତ୍ୟାଦି ବିଷୟ ଚର୍ଚ୍ଚା ପରେ ରବି ଭାଇ ପ୍ରାନ୍ତ କାର୍ଯ୍ୟବାହ ଭଳି ମହତ୍ୱପୂର୍ଣ୍ଣ ଦାୟିତ୍ୱରେ ଦୀର୍ଘ ୨୦ବର୍ଷ କାଳ ରହିଥିଲେ । ସେ ସମୟରେ ୧୯୮୧ର ଶିବିର, ଚକାପାଦର ଯଜ୍ଞ, ଓଡ଼ିଶାର ସଂଘଶାଖା ୧୦୦୦ ଅତିକ୍ରମ କରିବା, ସଂଘର ଷଷ୍ଠିପୂର୍ତି କାର୍ଯ୍ୟକ୍ରମ, ଡ. ହେଡଗେୱାର ଜନ୍ମଶତବାର୍ଷିକୀ ଇତ୍ୟାଦି ମହତ୍ୱପୂର୍ଣ୍ଣ କାର୍ଯ୍ୟଗୁଡ଼ିକ ସଂଘଟିତ ହୋଇଛି । ଅବଶ୍ୟ ସଂଘରେ କୌଣସି ଜଣକ କାରଣରୁ କିଛି ହୋଇନଥାଏ । ସଂଘ କାର୍ଯ୍ୟ ସର୍ବଦା ସମୂହର କାର୍ଯ୍ୟ । କିନ୍ତୁ ସେ ସମୂହକୁ ସଂଚାଳିତ କରୁଥିବା ବ୍ୟକ୍ତିର କର୍ତୃତ୍ୱ ଓ ନେତୃତ୍ୱ ଉପରେ କାର୍ଯ୍ୟର ଉତ୍କର୍ଷ ଓ ଅଭିବୃଦ୍ଧି ବହୁକାଂଶରେ ନିର୍ଭର କରିଥାଏ । ତାଙ୍କର ବଳିଷ୍ଠ ବ୍ୟକ୍ତିତ୍ୱ ଓ ନେତୃତ୍ୱର ଉଦାହରଣ ସମ୍ବନ୍ଧରେ ଦୁଇଟି ଘଟଣାର ଉଲ୍ଲେଖ ମାତ୍ର ମୁଁ କରୁଛି । ଗୋଟିଏ ଘଟଣା ୧୯୯୯ର ମହାବାତ୍ୟାରେ ସଂଘର ସେବା କାର୍ଯ୍ୟ ଓ ଉତ୍କଳ ବିପନ୍ନ ସହାୟତା ସମିତିର ପ୍ରସିଦ୍ଧି । ସେତେବେଳେ ପ୍ରାୟ ମାସେକାଳ ଘରକୁ ନଯାଇ ଶିକ୍ଷାବିକାଶ ସମିତିର କାର୍ଯ୍ୟାଳୟରେ ବସିରହି ସମଗ୍ର କାର୍ଯ୍ୟର ପରିଚାଳନା ସେ କରୁଥିଲେ । ଅନ୍ୟାନ୍ୟ ପ୍ରଦେଶକୁ ଯାଇ ମୁଖ୍ୟମନ୍ତ୍ରୀ ଇତ୍ୟାଦିଙ୍କୁ ଦେଖା ସାକ୍ଷାତ କରି ଓଡ଼ିଶାର ସମସ୍ୟାକୁ ସମସ୍ତଙ୍କ ଆଗରେ ଉପସ୍ଥାପିତ କରିଥିଲେ । ଫଳତଃ ଅର୍ଥାଗମ ସୁଲଭ ହୋଇଥିଲା । ଉତ୍କଳ ବିପନ୍ନ ସହାୟତା ସମିତିର ଭବନ ତା’ର ଅଂଶବିଶେଷ । 

ଦ୍ୱିତୀୟ ଘଟଣାଟି ହେଉଛି ‘ଅମୃତ ମହୋତ୍ସବ ।’ ପୁରୀର ତାଳବଣିଆର ପରିକଳ୍ପନା ଆମର କାହାରି ମନରେ ନଥିଲା । ତାଳବଣିଆର ଉପଯୋଗ ଅମୃତ ମହୋତ୍ସବ ପାଇଁ ହେଉ ଏ ପରିକଳ୍ପନା ଥିଲା ରବିଭାଇଙ୍କର । ଅମୃତ ମହୋତ୍ସବର ବ୍ୟବସ୍ଥାଜନିତ ସମ୍ପୂର୍ଣ୍ଣ ଦାୟିତ୍ୱ ନେଇଥିଲେ ରବିଭାଇ । ଯେଉଁ ଅମୃତ ମହୋତ୍ସବ ସମିତି ହୋଇଥିଲା ତାହାର ସେ ଥିଲେ ସମ୍ପାଦକ । ତାଙ୍କର ବଳିଷ୍ଠ ନେତୃତ୍ୱ ଓ କର୍ତୃତ୍ୱର ଅନୁଭବ ପ୍ରାୟତଃ ସବୁ କାର୍ଯ୍ୟକର୍ତା ସେଠାରେ ଅଳ୍ପେ ବହୁତେ ଅନୁଭବ କରିଛନ୍ତି । ସମସ୍ତଙ୍କୁ ଦାୟିତ୍ୱ ବଂଟନ କରି ସମସ୍ତଙ୍କୁ ସାଙ୍ଗରେ ଧରି ଚାଲିବା ଓ କାର୍ଯ୍ୟକ୍ରମକୁ ସଫଳ କରିବା ଏହା ଥିଲା ତାଙ୍କର ବୈଶିଷ୍ଟ୍ୟ । ରବି ଭାଇ ଥିଲେ ପ୍ରଚଣ୍ଡ ସ୍ମୃତିଶକ୍ତିର ଅଧିକାରୀ । ସବୁ ବିଷୟକୁ ମନେ ରଖନ୍ତି । କେଉଁ ବର୍ଷ କେଉଁ ଦିନ କେଉଁ ଘଟଣା ଘଟିଥିଲା ତାହା ଥାଏ ତାଙ୍କ ମୁହଁରେ । କେଉଁ ବର୍ଷ କେତେ ଶାଖା ହୋଇଥିଲା ତାହା ବି ତାଙ୍କ ମୁହଁରେ । ଏହା ଥିଲା ତାଙ୍କର ଏକ ସହଜାତ ପ୍ରବୃତି । ତେଣୁ ତାଙ୍କ ଆଗରେ କେହି କୌଣସି ବିଷୟ ଫାଙ୍କିଦେବା ପାଇଁ ଚେଷ୍ଟା ମଧ୍ୟ କରନ୍ତି ନାହିଁ । ବାହାରକୁ ସେ ବହୁତ କଠୋର ଦେଖାଯାଆନ୍ତି, କିନ୍ତୁ କଠୋରତା ମଧ୍ୟରେ ଥାଏ ତାଙ୍କର ଭଲ ପାଇବା । 

ପ୍ରତ୍ୟେକ ବ୍ୟକ୍ତି ଭିତରେ ଭଗବାନ ଭଲ ଓ ଖରାପ ଉଭୟ ପ୍ରକାରର ଗୁଣ ଦେଇଛନ୍ତି । ସଙ୍ଗଠନ ପାଇଁ ଯାହା ଉପଯୋଗୀ ଆମେ ସେହି ଭଲ ଗୁଣଗୁଡ଼ିକୁ ସ୍ମରଣ କରିବା ସହ ଗ୍ରହଣ ମଧ୍ୟ କରିବା ଉଚିତ । ସଂଘ ଦାୟିତ୍ୱରୁ ଅବସର ନେବା ପରେ ସେ ନିଜକୁ ଜଗନ୍ନାଥ ସଂସ୍କୃତିର ପ୍ରଚାର ସହ ଯୋଡି ଦେଇଥିଲେ । ସେ କାର୍ଯ୍ୟ ହିଁ ସେ ଜୀବନର ଶେଷ ମୁହୂର୍ତ ପର୍ଯ୍ୟନ୍ତ କରି ଚାଲିଥିଲେ । ସଂଘ ଦାୟିତ୍ୱରୁ ଅବସର ନେବା ପରେ ଜଣେ ସ୍ୱୟଂସେବକ ରବିଭାଇଙ୍କୁ ପଚାରିଥିଲେ ଏବେ ଆପଣ କଣ କରିବେ ? ସେ ଉତରରେ କହିଥିଲେ, “ମାନନୀୟ ଶେଷାଦ୍ରିଜୀ (ତତ୍କାଳୀନ ମାନନୀୟ ସରକାର୍ଯ୍ୟବାହ) ମୋତେ ଥରେ ଜଗନ୍ନାଥ ସଂସ୍କୃତି ପାଇଁ କିଛି କରିବାକୁ କହିଥିଲେ । ଏବେ ମୁଁ ସେହି କାମ ହିଁ କରିବି ଏବଂ ଏ କାର୍ଯ୍ୟକୁ ସେ ଶେଷ ପର୍ଯ୍ୟନ୍ତ କରି ଚାଲିଥିଲେ ।

ଏସବୁ ଦୃଷ୍ଟିରୁ ଆମେ ଯଦି ବିଚାର କରିବା ତେବେ ରବି ଭାଇ ଥିଲେ ଜଣେ ନିର୍ଭୀକ, ନେତୃତ୍ୱବାନ ତଥା କର୍ତୃତ୍ୱସମ୍ପନ୍ନ ବ୍ୟକ୍ତିତ୍ୱ । ଏଭଳି ଜଣେ ବ୍ୟକ୍ତିତ୍ୱର ବିଲୟ ଆଜି ପଂଚଭୂତ ଭିତରେ ହୋଇଯାଇଛି । କିନ୍ତୁ ତାଙ୍କର ସେହି ସଂଘ ଉପଯୋଗୀ ଗୁଣାବଳୀ ପାଇଁ ସେ ଆମ ପାଖରେ ନମସ୍ୟ ଓ ସ୍ମରଣୀୟ । ଆମେ ସେହି ଗୁଣାବଳୀକୁ ହିଁ ସ୍ମରଣ କରିବା ଓ ତଦନୁସାରେ ତାଙ୍କର ଜୀବନୀରୁ ଶିକ୍ଷା ନେଇ ସଙ୍ଗଠନ ପାଇଁ ଉପଯୁକ୍ତ କାର୍ଯ୍ୟକର୍ତାର ଜୀବନ ନିର୍ବାହ କରିବା, ଏହା ହିଁ ହେବ ତାଙ୍କ ପ୍ରତି ଆମର ଶ୍ରଦ୍ଧାଞ୍ଜଳି । ଭଗବାନ ରବି ଭାଇଙ୍କର ଅମର ଆତ୍ମାକୁ ମୁକ୍ତି ପ୍ରଦାନ କରନ୍ତୁ, ଏହା ହିଁ ପ୍ରଭୁ ଶ୍ରୀଜଗନ୍ନାଥଙ୍କ ନିକଟରେ ନିବେଦନ ।


ପୂର୍ବକ୍ଷେତ୍ର କାର୍ଯ୍ୟବାହ

Comments