ନୂଆଦିଲ୍ଲୀ, ୩୦/୯ : ଅଯୋଧ୍ୟା ବିବାଦୀୟ ଢାଂଚା ସହ ଜଡିତ ଅପରାଧିକ ମାମଲାର ରାୟ ଆଜି ପ୍ରକାଶ ପାଇଛି । ଏହି ରାୟ ଦ୍ୱାରା ସତ୍ୟ ଏବଂ ନ୍ୟାୟର ବିଜୟ ହୋଇଛି । ତେବେ କୋର୍ଟକୁ ଏହି ରାୟ ଦେବା ପାଇଁ ୨୮ ବର୍ଷ ସମୟ ଲାଗିଲା ବୋଲି ଭିଏଚ୍ପିର ଅଖିଳ ଭାରତୀୟ କାର୍ଯ୍ୟକାରୀ ଅଧ୍ୟକ୍ଷ ବରିଷ୍ଠ ଆଇନଜୀବୀ ଶ୍ରୀ ଆଲୋକ କୁମାର ପ୍ରକାଶ କରିଛନ୍ତି ।
ରାମଭକ୍ତମାନେ ୨୮ ବର୍ଷ ଧରି ଧୈର୍ଯ୍ୟ ଏବଂ ସାହସ ସହିତ ଏହି ମିଥ୍ୟା ମାମଲାଗୁଡିକର ସମ୍ମୁଖୀନ ହୋଇଥିଲେ । ଏଥିରେ
୪୯ଟି ଏଫ୍ଆଇଆର ଥିଲା । ପ୍ରବର୍ତନ ନିର୍ଦ୍ଦେଶାଳୟ ୩୫୧ଜଣଙ୍କର ସାକ୍ଷୀ ପ୍ରସ୍ତୁତ କରିଥିଲେ ଏବଂ କୋର୍ଟରେ ପ୍ରାୟ ୬୦୦ ଦସ୍ତାବିଜ ଦିଆଯାଇଥିଲା । ଏହି ମାମଲାର ଶୁଣାଣି କରୁଥିବା ନୂତନ ବିଚାରପତିଙ୍କ କାର୍ଯ୍ୟକାଳ ଅବସର ନେବା ପରେ ମଧ୍ୟ ଅନେକ ଥର ବୃଦ୍ଧି କରିବାକୁ ପଡିଥିଲା । ତା’ପରେ ଏହି ନିଷ୍ପତି ଆସିଛି ।
ପ୍ରଥମେ ସରକାର ୪୯ଜଣଙ୍କୁ ଅଭିଯୁକ୍ତ କରିଥିଲେ । ସେମାନଙ୍କ ମଧ୍ୟରୁ ୧୭ ଜଣଙ୍କର ଦେହାନ୍ତ ହୋଇ ଯାଇଛି । ସେମାନେ ହେଉଛନ୍ତି ଅଶୋକ ସିଂହଲ, ପୂଜ୍ୟ ମହନ୍ତ ଅବୈଦ୍ୟନାଥ, ପୂଜ୍ୟ ପରମହଂସ ରାମଚନ୍ଦ୍ର ଦାସ, ଶ୍ରୀମତୀ ରାଜମାତା ବିଜୟରାଜେ ସିନ୍ଧିଆ, ଆଚାର୍ଯ୍ୟ ଗିରିରାଜ କିଶୋର, ଶ୍ରୀ ବାଲ ଠାକରେ, ବିଷ୍ଣୁହରି ଡାଲମିଆ ଏବଂ ବୈକୁଣ୍ଠଲାଲ ଶର୍ମା(ପ୍ରମଜୀ)ଙ୍କ ପରି ମହାନୁଭବ ।
୯ ନଭେମ୍ବର ୧୯୧୯ ଦିନ ମାନ୍ୟବର ସୁପ୍ରିମକୋର୍ଟଙ୍କ ଆଦେଶରେ ଏହା ସବୁଦିନ ପାଇଁ ଘୋଷଣା କରିଛନ୍ତି ଯେ, ଅଯୋଧ୍ୟାର ଜମି ସେଠାରେ ବିଦ୍ୟମାନ ଶ୍ରୀ ରାମଲାଲାଙ୍କର ଅଟେ । ଆଜିର ନିଷ୍ପତି ଷଡଯନ୍ତ୍ର ଅଭିଯୋଗକୁ ଭାଙ୍ଗି ଦେଇଛି । ବର୍ତମାନ ସମୟ ଆସିଛି ଯେ ରାଜନୀତିରୁ ଉପରକୁ ଉଠିଯିବା, ଏବଂ ବାରମ୍ବାର ପଛକୁ ଦେଖିବା ପରିବର୍ତେ ଏକ ସଂଗଠିତ ତଥା ବିକାଶଶୀଳ ଭାରତ ଗଠନ ପାଇଁ ଆଗକୁ ବଢିବା ।
ଏବେ ଭାରତୀୟ ସମାଜକୁ ଭବିଷ୍ୟତର କାର୍ଯ୍ୟ ପାଇଁ ଧ୍ୟାନ ଦେବାକୁ ପଡିବ । ବିଶ୍ୱହିନ୍ଦୁ ପରିଷଦ ପୁନର୍ବାର ଶ୍ରୀରାମ ଜନ୍ମଭୂମି ଉପରେ ଏକ ଭବ୍ୟ ମନ୍ଦିର ନିର୍ମାଣ, ସମାଜରରୁ ଉଚ୍ଛ-ନୀଚ ଭେଦଭାବ ଦୂର କରି ସମରସ ସମାଜ ସ୍ଥାପନ, ଅନୁସୁଚିତ ଜାତି-ଜନଜାତି ଏବଂ ଆର୍ôଥକ ପଛୁଆ ବର୍ଗଙ୍କର ସାମାଜିକ,ଶିକ୍ଷାଗତ ତଥା ଅର୍ଥନୈତିକ ଅଗ୍ରଗତି ପାଇଁ ନିଜକୁ ଉତ୍ସର୍ଗ କରିଛି । ଏଥି ସହିତ ଆମକୁ ଏପରି ଶକ୍ତିଶାଳୀ ଭାରତ ନିର୍ମାଣ କରିବାକ ହେବ ଯାହା ଫଳରେ ସୀମା ରେ ଚ୍ୟାଲେଞ୍ଜକୁ ସଫଳତାର ସହିତ ସମ୍ମୁଖୀନ ହୋଇ ପାରିବ । ବିଶ୍ୱହିନ୍ଦୁ ପରିଷଦ ମନ୍ଦିର ତଥା ସେମାନଙ୍କର ସମ୍ପତିର ରକ୍ଷା ଏବଂ ମନ୍ଦିରର ଆୟ ଧର୍ମ ଏବଂ ସମାଜ ହିତ ପାଇଁ ଖର୍ଚ୍ଚ କରିବାକୁ ମଧ୍ୟ ନିଜର ସତତ ସଂଘର୍ଷ ଜାରି ରଖିବ ।
Comments
Post a Comment