ଭାରତର ସଠିକ ପ୍ରତିନିଧିତ୍ୱ ବିନା ମିଳିତ ଜାତି ସଂଘ ଔଚିତ୍ୟହୀନ


ଡ. ସମନ୍ୱୟ ନନ୍ଦ


ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗତ କିଛି ଦିନ ତଳେ ମିଳିତ ଜାତିସଂଘର ସାଧାରଣ ବୈଠକକୁ ସମ୍ବୋଧିତ କରିଛନ୍ତି । ଏହି ବୈଠକରେ ସେ ଅନେକ ଗୁରୁତ୍ୱପୂର୍ଣ ବିଷୟ ଉଠାଇଥିଲେ । ତାଙ୍କର ଏହି ସମ୍ବୋଧନରେ ସବୁଠାରୁ ବଡ କଥା ଥିଲା ଯେ ଭାରତର ସଠିକ ପ୍ରତିନିଧିତ୍ୱ ବିନା ମିଳିତ ଜାତିସଂଘର କୌଣସି ପ୍ରାସଙ୍ଗିକତା ନାହିାଁ ଏହି ସମ୍ବୋଧନରେ ପ୍ରଧାନମନ୍ତ୍ରୀ ଯାହା କହିଲେ ତାହା ବାସ୍ତବରେ ଦେଖିବାକୁ ଗଲେ ଭାରତର ୧୩୦ କୋଟି ଭାରତୀୟ ମାନଙ୍କର ଜନଭାବନାର ପ୍ରକଟୀକରଣ ଥିଲା । ସମଗ୍ର ବିଶ୍ୱରେ ଯେତେ ଲୋକ ରହନ୍ତି ତାହାର ଛଅ ଭାଗରୁ ଭାଗେ ଲୋକ ଭାରତରେ ରହନ୍ତି । କିନ୍ତୁ ଜାତିସଂଘରେ ଭାରତର ଭୂମିକା ଖୁବ ଅଧିକ ନାହିଁ । ଅର୍ଥାତ ଭିନ୍ନ ଶବ୍ଦରେ କହିବାକୁ ଗଲେ ବିଶ୍ୱର ଏକ ଷଷ୍ଠାଂଶ ଲୋକ ମାନଙ୍କର ସ୍ୱରକୁ ଜାତି ସଂଘରେ ଚପାଇ ଦିଆ ଯାଇ ଆସିଛି । ଜାତିସଂଘର ସବୁଠାରୁ ପ୍ରଭାବଶାଳୀ ସଂସ୍ଥା ହେଲା ଜାତିସଂଘର ନିରାପତା ପରିଷଦ । ନିରାପତା ପରିଷଦର ପାଂଚ ଜଣ ସ୍ଥାୟୀ ସଦସ୍ୟ ତଥା ଦଶ ଜଣ ଅସ୍ଥାୟୀ ସଦସ୍ୟ ରହିଥାନ୍ତି । ସ୍ଥାୟୀ ସଦସ୍ୟ ଦେଶ ମାନଙ୍କ ମଧ୍ୟରେ ଆମେରିକା, ଋଷ . ଇଂଲଣ୍ଡ, ଫ୍ରାନ୍ସ ଓ ଚୀନ ରହିଛନ୍ତି । ବାସ୍ତବରେ ଦେଖିବାକୁ ଗଲେ ନିରାପତା ପରିଷଦର ସମସ୍ତ ଅଧିକାର ଏହି ପାଂଚଟି ଦେଶ ନିକଟରେ ରହିଛି ଓ ସେମାନଙ୍କ ନିକଟରେ ଭିଟୋ କ୍ଷମତା ରହିଛି । ଏହି ଦେଶ ମାନେ ନିଜ ନିଜ ହିସାବରେ ନିରାପତା ପରିଷଦକୁ ଚଳାଇଥାନ୍ତି । ନିଜର ବ୍ୟକ୍ତିଗତ ସ୍ୱାର୍ଥ ଦୃଷ୍ଟିରୁ ଭିଟୋ କ୍ଷମତାକୁ ପ୍ରୟୋଗ କରିଥାନ୍ତି । ନିରାପତା ପରିଷଦର ଇତିହାସରେ ଏ ସମ୍ପର୍କରେ ଉଦାହରଣ ଭର୍ତି ହୋଇ ରହିଛି । ବିଶ୍ୱର ଛଅ ଜଣ ଲୋକଙ୍କ ମଧ୍ୟରୁ ଜଣେ ଭାରତରେ ରହେ ତଥାପି ଭାରତର ଏଠାରେ କୌଣସି ପ୍ରମୁଖ ଭୂମିକା ନାହିଁ । ଭାରତକୁ ନିରାପତା ପରିଷଦର ସ୍ଥାୟୀ ସଦସ୍ୟ ଭାବେ ସ୍ଥାନ ଦିଆ ଯିବା ଆବଶ୍ୟକ ଥିଲା ମାତ୍ର ବର୍ତମାନ ଯାଏ ଭାରତକୁ ଏହି ଅଧିକାରରୁ ବଂଚିତ କରି ରଖା ଯାଇଛି । ପ୍ରଧାନମନ୍ତ୍ରୀ ମୋଦି ନିଜର ସମ୍ବୋଧନରେ ଏହି ବିଷୟକୁ ଅତ୍ୟନ୍ତ ଜୋରଦାର ଭାବେ ଉଠାଇଥିଲେ । ସେ ତାଙ୍କର ସମ୍ବୋଧନରେ କହିଥିଲେ ଯେ ବିଶ୍ୱର ୧୮ ପ୍ରତିଶତ ଜନସଂଖ୍ୟା ଭାରତରେ ରହନ୍ତି । ଶହ ଶହ ଭାଷା ଓ ଉପ ଭାଷା ଭାରତରେ କୁହା ଯାଏ । ଜାଗତିକ ଅର୍ଥ ବ୍ୟବସ୍ଥାର ଶହ ଶହ ବର୍ଷ ଧରି ଭାରତ ନେତୃତ୍ୱ କରିଥିଲା ଓ ଶହ ଶହ ବର୍ଷ ଧରି ଭାରତ ଗୋଲାମ ମଧ୍ୟ ହୋଇଥିଲା । ଯେତେବେଳେ ଭାରତ ଶକ୍ତିଶାଳୀ ଥିଲା ସେତେବେଳେ କାହାକୁ ଭାରତ ହଇରାଣ କରି ନ ଥିଲା, ଯେତେବେଳେ ଦୁର୍ବଳ ହୋଇଥିଲା ସେତେବେଳେ ମଧ୍ୟ କାହା ଉପରେ ଭାରତ ବୋଝ ହୋଇ ନ ଥିଲା । ବାସ୍ତବରେ ଦେଖିବାକୁ ଗଲେ ଭାରତ କୌଣସି ସାଧାରଣ ଦେଶ ନୁହେଁ । ହଜାର ହଜାର ବର୍ଷ ଧରି ନିରନ୍ତର ଭାବେ ଚାଲି ଆସିଥିବା ସଭ୍ୟତା ବିଶିଷ୍ଟ ଦେଶ ହେଉଛି ଭାରତ । ହେଲେ କିଛି ଶହ ବର୍ଷ ଭାରତ ପରାଧୀନ ଥିଲା । ଭାରତ ଉପରେ ସାମରିକ, ଆର୍ଥିକ ଓ ସାଂସ୍କୃତିକ ଆକ୍ରମଣ ବାରମ୍ବାର ହୋଇଛି । ସାଂସ୍କୃତିକ ଆକ୍ରମଣ ଆଜି ମଧ୍ୟ ଚାଲିଛି । ବାସ୍ତବରେ ଦେଖିବାକୁ ଗଲେ ଗୋରା ଦେଶ ମାନଙ୍କର ଦ୍ୱାରା ଦୀର୍ଘ ସମୟ ଧରି ଔପନିବେଶିକ ଶୋଷଣର ଶୀକାର ହୋଇଥିବା ଦେଶ ମାନଙ୍କର ପ୍ରତିନିଧି ହେଉଛି ଭାରତ । ଜାତି ସଂଘର ନିରାପତା ପରିଷଦର ସ୍ଥାୟୀ ସଦସ୍ୟ ଭାବେ ଭାରତକୁ ସ୍ଥାନ ଦେବାର ଅର୍ଥ ହେଲା ଉପନିବେଶ ଜରିଆରେ ଆର୍ଥିକ ଶୋଷଣ ଓ ସାଂସ୍କୃତିକ ଆକ୍ରମଣର ଶୀକାର ହୋଇଥିବା ସମସ୍ତ ଦେଶ ମାନଙ୍କର ପ୍ରତିନିଧିତ୍ୱ । ଭାରତ ଏକ ବିଶାଳ ଜନ ସଂଖ୍ୟା ବିଶିଷ୍ଟ ଦେଶ ହେବା ସହ ବିବିଧତା ସମ୍ପନ୍ନ ଦେଶ । ଭାରତରେ ଯେତେ ବିବିଧତା ରହିଛି ବୋଧ ହୁଏ ଅନ୍ୟ କେଉଁଠି ସେତିକି ବିବିଧତା ମିଳିବ । ଭାରତକୁ ଜାତିସଂଘରେ ସଠିକ ପ୍ରତିନିଧିତ୍ୱ ନ ଦେବାର ଅର୍ଥ ହେଲା ବିବିଧତାକୁ ସମ୍ମାନ ନ ଦେବା । ଜାତିସଂଘର ପ୍ରତିଷ୍ଠାର ଉଦ୍ଦେଶ୍ୟ ଉପରେ ଦୃଷ୍ଟି ପକାଇଲେ ଜଣା ପଡେ ଯେ ବିଶ୍ୱରେ ଯୁଦ୍ଧକୁ ରୋକିବା ଓ ମାନବିକ ଅଧିକାରର ରକ୍ଷା କରିବା ଭଳି ଉଦ୍ଦେଶ୍ୟ ପ୍ରମୁଖ ଉଦ୍ଦେଶ୍ୟ ଭାବେ ରହି ଆସିଛି । କିନ୍ତୁ ଚୀନ ଭଳି ଦେଶ ଯିଏ ତାର ପଡୋଶୀ ଦେଶ ତିବତ ଉପରେ ଅଧିକାର କରି ଦିନ ଦ୍ୱିପ୍ରହରରେ ମାନବିକ ଅଧିକାରର ଖୋଲା ଉଲ୍ଲଂଘନ କରୁଛି ସେହି ଚୀନ ନିରାପତା ପରିଷଦର ସ୍ଥାୟୀ ସଦସ୍ୟ ରହିଛି । ମାନବିକ ଅଧିକାର ମାମଲାରେ ସବୁଠାରୁ ଖରାପ ରେକର୍ଡ ବିଶିଷ୍ଟ ଚୀନ ଅନ୍ୟ ମାନଙ୍କୁ ମାନବିକ ଅଧିକାରର ପାଠ ପଢାଉଛି । ଏହା ଠାରୁ ହାସ୍ୟାସ୍ପଦ କଥା କଣ ହୋଇ ପାରେ । ଏହି ଉଦାହରଣରୁ ଜାତିସଂଘର ପ୍ରାସଙ୍ଗିକତା କେତେ ତାହା ଅନୁମାନ କରା ଯାଇ ପାରୋ ଭାରତକୁ ଜାତିସଂଘର ସଠିକ ପ୍ରତିନିଧିତ୍ୱ ମିଳି ନ ଥିବା ସତ୍ୱେ ଭାରତ ମାନବିକତାର ରକ୍ଷାକୁ ନେଇ ନିଜର ସଭ୍ୟତାଗତ ଦାୟିତ୍ୱକୁ ନିର୍ବାହ କରି ଆସିଛି । ବିଶ୍ୱର ବିଭିନ୍ନ ଦେଶରେ ଯେଉଁ ଠାରେ ପରିସ୍ଥିତି ଅସାଧାରଣ ରହିଥାଏ ସେଠାକୁ ଜାତିସଂଘ ଶାନ୍ତିରକ୍ଷକ ଦଳ ପଠାଇଥାଏ । ତଥାକଥିତ ଶକ୍ତିଶାଳୀ ଦେଶ ମାନେ ଜାତିସଂଘରେ ସେମାନଙ୍କର କ୍ଷମତା ଓ ଅଧିକାରକୁ ପ୍ରୟୋଗ କରିବାରେ ଆଗରେ ରହିଥାନ୍ତି ତେବେ ସେମାନେ ନିଜର ଜବାନ ମାନଙ୍କୁ ଏହି ଅଶାନ୍ତ ଅଂଚଳକୁ ପଠାଇବାରେ ପଛରେ ରହିଥାନ୍ତି । କିନ୍ତୁ ଏହି ଅଶାନ୍ତ କ୍ଷେତ୍ର ଗୁଡିକରେ ଶାନ୍ତି ସ୍ଥାପିତ କରିବା ପାଇଁ ଭାରତ ସବୁଠାରୁ ଅଧିକ ସୈନିକ ପଠାଇଥାଏ । ମିଳିତ ଜାତିସଂଘର ଏକ ମାନବିକ ଅଧିକାର ସଂଗଠନ ରହିଛି । ଏହି ସଂସ୍ଥା ତାର ଦୋହରା ମାପଦଣ୍ଡ ପାଇଁ ବିଖ୍ୟାତ । ଭାରତର ସଂସଦରେ ପାକିସ୍ତାନ, ବଙ୍ଗଳାଦେଶ ଓ ଆଫଗାନିସ୍ତାନରେ ନିର୍ଯ୍ୟାତନାର ଶୀକାର ହୋଇଥିବା ସଂଖ୍ୟାଲଘୁଙ୍କୁ ଭାରତର ନାଗରିକତା ପ୍ରଦାନ କରିବାକୁ ସିଏଏ ଆଇନ ଗୃହୀତ ହୋଇଥିଲା । ଜାତିସଂଘର ମାନବିକ ଅଧିକାର ସଂଗଠନ (ୟୁଏନ ହ୍ୟୁମାନ ରାଇଟ୍ସ) ଏହି ଆଇନକୁ ନେଇ ଉଦବେଗ ପ୍ରକାଶ କରିଥିଲା । କେବଳ ସେତିକି ନୁହେଁ ଏହି ସଂସ୍ଥା ତାର ଅଧିକାରିକ ଟ୍ୱିଟର ହ୍ୟାଣ୍ଡେଲରେ ଏ ନେଇ ଉଦବେଗ ପ୍ରକାଶ କରି ଟ୍ୱିଟ ମଧ୍ୟ କରିଥିଲା । ତେବେ ଏହି ସମାନ ମାନବିକ ଅଧିକାର ସଂଗଠନ ପାକିସ୍ତାନରେ ହିନ୍ଦୁ ନାବାଳିକା ମାନଙ୍କର ଅପହରଣ ଓ ତାଙ୍କର ଜୋର ଜବରଦସ୍ତ ଇସଲାମରେ ଧର୍ମାନ୍ତରୀକରଣ ତଥା ଜୋର ଜବରଦସ୍ତି ବୟସ୍କ ମୁସଲମାନ ମାନଙ୍କ ସହ ନିକାହ କରା ଯାଉଥିବା ବେଳେ ନିଜର ପାଟି ଖୋଲେ ନାହିଁ । ପାକିସ୍ତାନ ଓ ବଙ୍ଗଳାଦେଶରେ ହିନ୍ଦୁ ମାନଙ୍କ ସଂଖ୍ୟା ଧୀରେ ଧୀରେ କମିବା ଉପରେ ସେ ନୀରବତା ଅବଲମ୍ବନ କରିଥାଏ । ମାନବିକ ଅଧିକାରର ଆଳରେ ଏହି ସଂସ୍ଥା ନିଜର ହିନ୍ଦୁ ବିରୋଧୀ ଆଭିମୁଖ୍ୟକୁ ଖୋଲା ଖୋଲି ଭାବେ ପ୍ରକଟ କରିଥାଏ । ବାସ୍ତବରେ ଦେଖିବାକୁ ଗଲେ ଜାତିସଂଘରେ ହିଁ ମୂଳ ସମସ୍ୟା ରହିଛି । ଜାତିସଂଘରେ ମତଦାନ ବେଳେ ଲୋକ ମାନେ ନୁହେଁ ଦେଶ ଭୋଟ ଦିଅନ୍ତି । ଏହାର ଅର୍ଥ ହେଲା ଯେ ଭାରତର ୧୩୦ କୋଟି ଲୋକ ମାନଙ୍କ ନିକଟରେ ଗୋଟିଏ ଭୋଟ ରହିଛି । ଠିକ ସେହିପରି ଏକ ହଜାର ଜନସଂଖା ବିଶିଷ୍ଟ ଭାଟିକାନର ମଧ୍ୟ ଗୋଟିଏ ଭୋଟ ରହିଛି । ଅନ୍ୟ ଶବ୍ଦରେ କହିବାକୁ ଗଲେ ଭାଟିକାନ ସିଟିର ଜଣେ ନାଗରିକର ଭୋଟର ମୂଲ୍ୟ ଭାରତର ନାଗରିକର ଭୋଟର ମୂଲ୍ୟ ଠାରୁ ୧୩୦,୦୦୦୦,୦୦୦ ପ୍ରତିଶତ ଅଧିକ । ଜାତିସଂଘର ମୋଟ ୧୫୭ ଦେଶ ମଧ୍ୟରୁ ଅଧିକାଂଶ ଖ୍ରୀଷ୍ଟିଆନ ଦେଶ ହୋଇଥିବାବେଳେ ୫୭ଟି ଇସଲାମିକ ଦେଶ ରହିଛି । ଭାରତ ନିକଟରେ କେବଳ ଗୋଟିଏ ଭୋଟ ରହିଛି । ପ୍ରଧାନମନ୍ତ୍ରୀ ମୋଦି ତେଣୁ ସ୍ପଷ୍ଟ ଶବ୍ଦରେ ଏହି କଥାକୁ କହିଛନ୍ତି । ଭାରତ ସହ ଭେଦଭାବ କେତେ ଦିନ ଧରି ଚାଲିବ ବୋଲି ସେ ପ୍ରଶ୍ନ କରିଥିଲେ । ବିଶ୍ୱର ପ୍ରତ୍ୟେକ ଛଅ ଜଣରୁ ଜଣେ ଭାରତୀୟ ହୋଇଥିବା କାରଣରୁ ଭାରତକୁ ଅଣଦେଖା କରିବା ସମ୍ଭବ ନୁହେଁ । ଭାରତ ଏବେ ତାର ନିଜର ଶକ୍ତିକୁ ଚିହ୍ନୁଛି । ଯଦି ମିଳିତ ଜାତିସଂଘ ଚେତିବ ନାହିଁ ତେବେ ଏହାର ସମାଧାନର ରାସ୍ତା ଭାରତକୁ ହିଁ ବାହାର କରିବାକୁ ପଡିବ ।

Comments