ବିଶ୍ୱବିଦ୍ୟାଳୟ ପରିଚାଳନାରୁ ଜନପ୍ରତିନିଧି ଓ ଶିକ୍ଷାବିତ୍ ବାଦ୍ପଡ଼ିଲେ
ଶୈକ୍ଷିକ ମହାସଂଘର କ୍ଷୋଭ
ଭୁବନେଶ୍ୱର, ତା୨୮ା୯- ଓଡ଼ିଶା ବିଶ୍ୱବିଦ୍ୟାଳୟ (ସଂଶୋଧନ) ଅଧ୍ୟାଦେଶ, ୨୦୨୦ଦ୍ୱାରା ବିଶ୍ୱବିଦ୍ୟାଳୟ ପରିଚାଳନାରୁ ଜନପ୍ରତିନିଧିମାନେ ସମ୍ପୂର୍ଣ୍ଣ ଓ ଶିକ୍ଷାବିତ୍ମାନେ ଆଂଶିକ ଭାବେ ବାଦ୍ପଡ଼ିଥିବାରୁ ଅଖିଳ ଭାରତୀୟ ରାଷ୍ଟ୍ରୀୟ ଶୈକ୍ଷିକ ମହାସଂଘ ପକ୍ଷରୁ ଗଭୀର କ୍ଷୋଭ ପ୍ରକାଶ କରାଯାଇଛି।
ମହାସଂଘ ତରଫରୁ ଏଠାରେ ପ୍ରକାଶିତ ଏକ ବିଜ୍ଞପ୍ତିରେ କୁହାଯାଇଛି ଯେ, ପୂର୍ବରୁ ବିଶ୍ୱବିଦ୍ୟାଳୟ ସିନେଟରେ ତିନିଜଣ ବିଧାୟକ ସଦସ୍ୟ ରହୁଥିଲେ। ମାତ୍ର ଅଧ୍ୟାଦେଶ ବଳରେ ସରକାର ସିନେଟକୁ ଉଚ୍ଛେଦ କରିଥିବାରୁ ଏହି ଜନପ୍ରତିନିଧିମାନେ ସ୍ୱତଃ ବାଦ୍ପଡ଼ିଯାଇଛନ୍ତି।
ରାଜ୍ୟର କୌଣସି ସ୍ୱୟଂଶାସିତ ଓ ଅଣସ୍ୱୟଂଶାସିତ କଲେଜରେ ପ୍ରଫେସର ପଦବୀ ସୁଦ୍ଧା ନାହିଁ। ଏପରିସ୍ଥଳେ ଅଧ୍ୟାଦେଶରେ ବ୍ୟବସ୍ଥା ଅଛି ଯେ, ସ୍ୱୟଂଶାସିତ କଲେଜରୁ ଦୁଇଜଣ ଓ ଅଣସ୍ୱୟଂଶାସିତ କଲେଜରୁ ଦୁଇଜଣ ପ୍ରଫେସର ସିଣ୍ଡିକେଟ୍ର ସଦସ୍ୟ ରହିବେ। ଏହାଦ୍ୱାରା ସରକାର ଚତୁରତାର ସହ ଚାରିଜଣ ଶିକ୍ଷାବିତ୍ଙ୍କୁ ସିଣ୍ଡିକେଟ୍ ସଦସ୍ୟ ହେବାରୁ ବଞ୍ଚିତ କରିଛନ୍ତି।
ରାଜ୍ୟ ଲୋକସେବା ଆୟୋଗ ମାଧ୍ୟମରେ ବିଶ୍ୱବିଦ୍ୟାଳୟର ଶିକ୍ଷକମାନଙ୍କୁ ନିଯୁକ୍ତି ଦିଆଯିବ ବୋଲି ସରକାର ନିଷ୍ପତ୍ତି ଗ୍ରହଣ କରିଛନ୍ତି। ଏହାର ଯଥାର୍ଥତା ପ୍ରତିପାଦନ କରିବାକୁ ଯାଇ ବିହାର ଓ ଝାଡ଼ଖଣ୍ଡର ଉଦାହରଣ ଦେଉଛନ୍ତି। ମାତ୍ର ବିହାରରେ ରାଜ୍ୟ ଲୋକସେବା ଆୟୋଗ ବିଶ୍ୱବିଦ୍ୟାଳୟ ପାଇଁ ଶିକ୍ଷକ ଚୟନ କରିନଥାଏ। ବରଂ ବିହାର ରାଜ୍ୟ ବିଶ୍ୱବିଦ୍ୟାଳୟ ସେବା ଆୟୋଗ ଏହି କାର୍ଯ୍ୟ କରିଥାଏ। ଚଳିତ ମାସରେ ହିଁ ବିଶ୍ୱବିଦ୍ୟାଳୟ ସେବା ଆୟୋଗ ୪,୬୩୮ଟି ଆସିଷ୍ଟାଣ୍ଟ ପ୍ରଫେସର ପଦବୀ ପାଇଁ ଦରଖାସ୍ତ ଆହ୍ୱାନ କରି ବିଜ୍ଞପ୍ତି ଜାରି କରିଛନ୍ତି।
ଘଟଣାକୁ ଅଧିକ ଜଟିଳ ନକରି ରାଜ୍ୟ ସରକାର ଅଧ୍ୟାଦେଶକୁ ପ୍ରତ୍ୟାହାର କରିନେବା ପାଇଁ ମହାସଂଘର ଜାତୀୟ କାର୍ଯ୍ୟକାରୀ ପରିଷଦର ସଦସ୍ୟ ଡକ୍ଟର ନାରାୟଣ ମହାନ୍ତି ଦାବି କରିଛନ୍ତି।
Comments
Post a Comment