ଚୀନ୍ ରାଷ୍ଟ୍ରଦୂତ କାର୍ଯ୍ୟାଳୟରୁ କଂଗ୍ରେସ ସହ ଜଡିତ ରାଜୀବ ଗାନ୍ଧି ଫାଉଣ୍ଡେସନ ଦାନ ସଂଗ୍ରହ କରିଛି

ନୂଆଦିଲ୍ଲୀ,୨୫ା୬ : ଲଦାଖ ସୀମାରେ ଭାରତ-ଚୀନ୍ ମଧ୍ୟରେ ସୃଷ୍ଟି ହୋଇଥିବା ବିବାଦ ଥମିବାର ନାଁ ଧରୁନାହିଁ । ତେବେ ଏହି ସୀମା ବିବାଦକୁ ନେଇ ଭାରତରେ ରାଜନୈତିକ ଆରୋପ ପ୍ରତ୍ୟାରୋପ ଓ ତୁ ତୁ ମେଁ ମେଁ ଅଧିକ ଉଗ୍ର ହେବାରେ ଲାଗିଛି । କଂଗ୍ରେସ ପକ୍ଷରୁ ଗତ କିଛିଦିନ ହେଲା ଅଭିଯୋଗ ବଢ଼ାଯାଉଛି ଯେ, ଚୀନ୍ ନିକଟରେ ଭାରତକୁ ଏକ ପ୍ରକାର ସମର୍ପଣ କରିଦେଇଛନ୍ତି ମୋଦି ସରକାର । ଅନ୍ୟପଟେ କଂଗ୍ରେସର ଆରୋପକୁ ଖଣ୍ଡନ କରିବା ସହ ବିଜେପି ଆଜି ତଥ୍ୟ ସହିତ ଏକ ସାଂଘାତିକ ଅଭିଯୋଗ ବାଢ଼ିଛି । ଚୀନ୍‌ରୁ କଂଗ୍ରେସ ଦଳ ଚାନ୍ଦା ନେଇଥିବା ବିଜେପି ପ୍ରକାଶ କରିଛି । ୨୦୦୫- ୦୬ରେ ଭାରତରେ ଅବସ୍ଥିତ ଚୀନ୍ ରାଷ୍ଟ୍ରଦୂତ କାର୍ଯ୍ୟାଳୟରୁ କଂଗ୍ରେସ ସହ ଜଡିତ ରାଜୀବ ଗାନ୍ଧି ଫାଉଣ୍ଡେସନ ଦାନ ସଂଗ୍ରହ କରିଛି । ଏହି ରାଜୀବ ଗାନ୍ଧି ଫାଉଣ୍ଡେସନରେ ଅଧ୍ୟକ୍ଷ ରୂପେ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧି କାର୍ଯ୍ୟ କରନ୍ତି । ସେହିପରି ଏହି ଫାଉଣ୍ଡେସନର ବୋର୍ଡରେ ମନମୋହନ ସିଂହ, ରାହୁଲ ଗାନ୍ଧି, ପି. ଚିଦାମ୍ବରମ ଓ ପ୍ରିୟଙ୍କା ଗାନ୍ଧି ପ୍ରମୁଖ ଅଛନ୍ତି । ରାଜୀବ ଗାନ୍ଧି ଫାଉଣ୍ଡେସନକୁ ଯେଉଁ ବ୍ୟକ୍ତିବିଶେଷ ଓ ସଂଗଠନ ଗୁଡିକ ଦାନ ଓ ପାଣ୍ଠି ଯୋଗାଇ ଦେଇଥିଲେ ସେମାନଙ୍କ ମଧ୍ୟରେ ଚୀନ୍ ରାଷ୍ଟ୍ରଦୂତ କାର୍ଯ୍ୟାଳୟର ନାମ ରହିଛି । ସେହିପରି ବିଜେପି ପକ୍ଷରୁ ଆହୁରି ଅଭିଯୋଗ ବଢ଼ାଯାଇଛି ଯେ, ରାଜୀବ ଗାନ୍ଧି ଫାଉଣ୍ଡେସନକୁ ଚୀନ୍ ଏହି ଚାନ୍ଦା ଦେବା ପରେ ବେଜିଂ ଓ ନୂଆଦିଲ୍ଲୀ ମଧ୍ୟରେ ଏକ ବଡଧରଣର ବାଣିଜ୍ୟ ସଂକ୍ରାନ୍ତୀୟ ରାଜିନାମା ସ୍ୱାକ୍ଷରିତ ହୋଇଥିଲା । ଏହି ଚୁକ୍ତିନାମାରେ ଚୀନ୍‌କୁ ଅନୁକମ୍ପା ପ୍ରଦର୍ଶନ କରାଯାଇଥିଲା । ସେହିପରି ବିଜେପି ପକ୍ଷରୁ ଆହୁରି ଅଭିଯୋଗ ବଢ଼ାଯାଇଛି ଯେ, ୨୦୦୩-୦୪ରେ ଚୀନ୍ ସହିତ ଭାରତର ବାଣିଜ୍ୟିକ ପାର୍ଥକ୍ୟ ୧.୧ ବିଲିୟନ ଡଲାର ଥିବା ବେଳେ ୨୦୧୩-୧୪ ୟୁପିଏ ଅମଳରେ ଏହା ୩୩ ଗୁଣା ବୃଦ୍ଧି ପାଇ ୩୬.୨ ବିଲିୟନ ଡଲାରରେ ପହଞ୍ôଚଥିଲା । ଅତୀତରେ କଂଗ୍ରେସର ଚାଇନା ପ୍ରୀତି ପାଇଁ ଭାରତକୁ ବହୁମୂଲ୍ୟ ଦେବାକୁ ପଡୁଛି ବୋଲି ବିଜେପି ପକ୍ଷରୁ ଅଭିଯୋଗ ବଢ଼ାଯାଇଛି । ଅନ୍ୟପଟେ ବିଜେପିର ଅଭିଯୋଗକୁ ନିରାଧାର ବୋଲି କଂଗ୍ରେସ ଦର୍ଶାଇବା ସହ ନିଜ ପ୍ରତିକ୍ରିୟାରେ କହିଛି ଯେ, ସୀମା ବିବାଦକୁ ନେଇ ନିଜର ବିଫଳତାକୁ ଲୁଚାଇବା ପାଇଁ ବିଜେପି ଏଭଳି ନାଟକ ରଚୁଛି ।

Comments