ଦାଦନ ଶ୍ରମିକଙ୍କ ରହିବା, ଖାଇବା ଓ ନିରପତ୍ତା ସୁନିଶ୍ଚିତ କରିବାକୁ ସବୁ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳକୁ ପତ୍ର ଲେଖିଲେ କ୍ୟାବିନେଟ ସଚିବ
କୋଭିଡ-19 ସଂକ୍ରମଣକୁ ଆଖିଆଗରେ ରଖି ଘୋଷିତ ଲକଡାଉନ କାଳରେ ବିଭିନ୍ନ ରାଜ୍ୟରେ ଅଟକି ରହିଥିବା ଦାଦନ ଶ୍ରମିକମାନଙ୍କ କଲ୍ୟାଣ ପ୍ରତି
ଭାରତ ସରକାର ଯଥେଷ୍ଟ ଗୁରୁତ୍ଵ ଦେଉଛନ୍ତି । ଏହାକୁ ଦୃଷ୍ଟିରେ ରଖି ସ୍ଵରାଷ୍ଟ୍ର ମନ୍ତ୍ରଣାଳୟ
ପକ୍ଷରୁ ଜାରି କରାଯାଇଥିବା ନିୟମାବଳୀଗୁଡିକ ଯେପରି କଡାକଡି ଲାଗୁ କରାଯାଏ, ତାହାକୁ ସୁନିଶ୍ଚିତ
କରିବାକୁ କ୍ୟାବିନେଟ ସଚିବ ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ
ଅଞ୍ଚଳ ସରକାରଙ୍କୁ ପତ୍ର ଲେଖିଛନ୍ତି ।
ରାଜ୍ୟଗୁଡିକ ଏ ସମ୍ପର୍କରେ ସମୀକ୍ଷା କରିବା ସହ ସମସ୍ତ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ
ଦେବାଲାଗି ପତ୍ରରେ ଉଲ୍ଲେଖ ରହିଛି । ସେମାନେ ଯଦି ଏଥିପାଇଁ କୌଣସି ନୋଡାଲ ଅଧିକାରୀଙ୍କୁ
ନିଯୁକ୍ତି ଦେଇନାହାନ୍ତି, ତେବେ ତୁରନ୍ତ ତାହା କରିବାକୁ
କୁହାଯାଇଛି । ନଗରାଞ୍ଚଳରେ ପୌର ଆୟୁକ୍ତମାନଙ୍କୁ ଦାଦନ ଶ୍ରମିକ କଲ୍ୟାଣ ଦାୟିତ୍ଵ ତ୍ୱରାନ୍ୱିତ କରିବାକୁ
କୁହାଯାଇଛି ।
ଏଥିରେ ଆହୁରି କୁହାଯାଇଛି ଯେ, ଜିଲ୍ଲାଗୁଡିକ ଦାଦନ ବା ଅଟକି
ରହିଥିବା ଶ୍ରମିକମାନଙ୍କ ସଂଖ୍ୟା ପୁଙ୍ଖାନୁପୁଙ୍ଖ ଭାବେ ନିରୂପଣ କରି ସେମାନଙ୍କ ଖାଇବା ଓ
ରହିବାର ସମସ୍ତ ସୁବିଧା କରିବେ ।
ଏଥିରେ
ଆହୁରି କୁହାଯାଇଛି ଯେ, ପ୍ରତ୍ୟେକ ରିଲିଫ କ୍ୟାମ୍ପର ଦାୟିତ୍ଵ ଜଣେ ବରିଷ୍ଠ
ଅଧିକାରୀଙ୍କ ପାଖରେ ରହିବ । ସେମାନେ ଆବଶ୍ୟକ ପଡିଲେ ସାମାଜିକ ସଂଗଠନ ବା ମଧ୍ୟାହ୍ନ ଭୋଜନ
ସୁବିଧା ପ୍ରଦାନ କରୁଥିବା ସଙ୍ଗଠନଗୁଡିକ ସହିତ ଯୋଗସୂତ୍ର ରଖି ଲକଡାଉନ କାଳରେ ସେମାନଙ୍କର
ଖାଇବା ପିଇବାର ବ୍ୟବସ୍ଥା କରିବେ । ଆବଶ୍ୟକସ୍ଥଳେ କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ
ମନ୍ତ୍ରଣାଳୟରେ ନିୟମାବଳୀ ଅନୁସାରେ ସେମାନଙ୍କୁ ମନସ୍ତାତ୍ଵିକ ଓ ସାମାଜିକ ପରାମର୍ଶ ମଧ୍ୟ
ଦିଆଯାଇପାରିବ ।
Comments
Post a Comment