ପୁଣି ୧୦ କରୋନା ରୋଗୀ ହେଲେ ସୁସ୍ଥ





ଭୁବନେଶ୍ୱର,୧୦ା୪  : ଶୁକ୍ରବାର ରାତି ପ୍ରାୟ ୧୧ଟା ସମୟରେ ଓଡ଼ିଶାବାସୀ ରାଜ୍ୟର ସମ୍ଭାବ୍ୟ କରୋନା ଆକ୍ରାନ୍ତଙ୍କ ସ୍ଥିତି ଜାଣିବା ପାଇଁ ସ୍ୱାସ୍ଥ୍ୟ ବିଭାଗର ଟ୍ୱିଟ୍‌କୁ ଅନାଇ ରହିଥିଲେ । ମନରେ ଅନେକ ଭୟ ଓ ଆତଙ୍କର ସ୍ଥିତି ରହିଥିଲା । ତେବେ ଆତଙ୍କିତ ହେବା ପରିବର୍ତ୍ତେ ସ୍ୱାସ୍ଥ୍ୟ ବିଭାଗର ଟ୍ୱିଟ୍ ଓଡ଼ିଶାବାସୀଙ୍କ ପାଇଁ ଆଣିଛି ବଡ ଆଶ୍ୱସ୍ତି । ରାଜ୍ୟରେ ପୁଣି ୧୦ କରୋନା ରୋଗୀ ସୁସ୍ଥ ହୋଇଛନ୍ତି ଓ ସେମାନଙ୍କ କରୋନା ରିପୋର୍ଟ ନେଗେଟିଭ୍ ଆସିଥିବା ସ୍ୱାସ୍ଥ୍ୟ ବିଭାଗ ନିଜ ଟ୍ୱିଟ୍‌ରେ ଦର୍ଶାଇଛି । ଖୁବ୍‌ଶୀଘ୍ର ଏମାନଙ୍କୁ ମେଡିକାଲରୁ ଡିସ୍‌ଚାର୍ଜ କରାଯିବ ବୋଲି କୁହାଯାଉଛି । ଆରୋଗ୍ୟ ହୋଇଥିବା ଏହି ୧୦ କରୋନା ରୋଗୀଙ୍କ ମଧ୍ୟରେ ୫ଜଣ ଭୁବନେଶ୍ୱରର ହୋଇଥିବା ବେଳେ ଭଦ୍ରକର ୨ଜଣ, କଟକ, ଯାଜପୁର ଓ ପୁରୀରେ ଜଣେ ଲେଖାଏଁ ରହିଛନ୍ତି । ଅନ୍ୟପଟେ କଟକ, ପୁରୀ ଓ ଯାଜପୁର ଜିଲ୍ଲାରେ ଯେଉଁ ଜଣେ ଲେଖାଏଁ ରୋଗୀ କରୋନା ସଂକ୍ରମଣର ଶିକାର ହୋଇ ଚିକିତ୍ସିତ ହେଉଥିଲେ ସେମାନେ ସୁସ୍ଥ ହୋଇଥିବା ଜଣାପଡିବା ପରେ ଏହି ଜିଲ୍ଲାରେ ମଧ୍ୟ ଭୟ ଓ ଆତଙ୍କର ପରିବେଶ ହ୍ରାସ ପାଇବା ସହ ସାଧାରଣରେ ବେଶ୍ ଆଶ୍ୱସ୍ତି ପ୍ରକାଶ ପାଇଛି । ସେହିପରି ଭୁବନେଶ୍ୱରର ବିଭିନ୍ନ ଅଞ୍ଚଳରେ ମଧ୍ୟ ସାଧାରଣରେ ଆଶ୍ୱସ୍ତି ଲକ୍ଷ୍ୟ କରାଯାଇଛି । ଅପରପଟେ ସ୍ୱାସ୍ଥ୍ୟ ବିଭାଗ ଟ୍ୱିଟ୍ କରି କରୋନା ରୋଗୀଙ୍କ ଚିକିତ୍ସାରେ ନିୟୋଜିତ ସମସ୍ତ ଡାକ୍ତର ଓ ସ୍ୱାସ୍ଥ୍ୟକର୍ମୀଙ୍କ ନିଷ୍ଠା ଓ ପ୍ରତିବଦ୍ଧତାକୁ ଉଚ୍ଚ ପ୍ରଶଂସା କରିଛି । ଅନ୍ୟପଟେ ଓଡ଼ିଶାରେ ଏପର୍ଯ୍ୟନ୍ତ କରୋନା ସଂକ୍ରମଣରେ ଶିକାର ହୋଇଥିବା ବ୍ୟକ୍ତିଙ୍କ ସଂଖ୍ୟା ୪୮ରେ ରହିଛି । ଏମାନଙ୍କ ମଧ୍ୟରୁ ପୂର୍ବରୁ ୨ଜଣ ସମ୍ପୂର୍ଣ୍ଣ ସୁସ୍ଥ ହୋଇ ହସ୍ପିଟାଲରୁ ଡିସ୍‌ଚାର୍ଜ ହୋଇଛନ୍ତି । ସେହିପରି ଅନ୍ୟଜଣେ ୭୨ ବର୍ଷୀୟ ବ୍ୟକ୍ତି ଉଚ୍ଚ ରକ୍ତଚାପ ଓ ଅନ୍ୟାନ୍ୟ ରୋଗରେ ପୀଡିତ ହୋଇ କରୋନା ସଂକ୍ରମଣର ଶିକାର ହୋଇଥିଲେ । ତେବେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଥିଲା । ତେବେ ଶୁକ୍ରବାର ଆଉ ୧୦ଜଣ କରୋନା ରୋଗୀ ସମ୍ପୂର୍ଣ୍ଣ ସୁସ୍ଥ ହେବା ପରେ ଓଡ଼ିଶାରେ କରୋନା ସଂକ୍ରମଣର ଶିକାର ହୋଇ ଚିକିତ୍ସାଧୀନ ଥିବା ବ୍ୟକ୍ତିଙ୍କ ସଂଖ୍ୟା ୩୫କୁ ଖସି ଆସିଛି । କରୋନା ସଂକ୍ରମଣରେ ବିଶ୍ୱବ୍ୟାପୀ ଶିକାର ହୋଇଥିବା ମୋଟ ରୋଗୀଙ୍କ ମଧ୍ୟରୁ ୮୫ ରୁ ୯୦% ରୋଗୀ ଚିକିତ୍ସା ଦ୍ୱାରା ସମ୍ପୂର୍ଣ୍ଣ ସୁସ୍ଥ ହୋଇ କରୋନାମୁକ୍ତ ହୋଇଛନ୍ତି । ସେହିପରି ମଧୁମେହ, ହୃଦ୍‌ରୋଗ, ବୃକକ, ଶ୍ୱାସ, କ୍ୟାନସର ଆଦି ରୋଗରେ ପୀଡିତ ଥିବା ବ୍ୟକ୍ତି କରୋନା ସଂକ୍ରମଣର ଶିକାର ହେଲେ ସେମାନଙ୍କ ଆରୋଗ୍ୟ ସମ୍ଭାବନା ପ୍ରଭାବିତ ହୋଇଥାଏ । ତେବେ ଏପର୍ଯ୍ୟନ୍ତ ବିଶ୍ୱବ୍ୟାପୀ ଦେଖା ଦେଇଥିବା କରୋନା ସଂକ୍ରମିତ ସଂଖ୍ୟା ଓ ଏଥିରେ ମୃତ୍ୟୁବରଣ କରୁଥିବା ରୋଗୀଙ୍କ ସଂଖ୍ୟାରେ ଅନୁପାତ ୯୫:୦୫ କିମ୍ବା ଏହା ପାଖାପାଖି ।

ଓଡ଼ିଶାରେ ୨ ଶିଶୁ କରୋନା ଆକ୍ରାନ୍ତ
 ଭୁବନେଶ୍ୱର,୧୦ା୪  : ଓଡ଼ିଶାରେ ପ୍ରଥମ ଥର ପାଇଁ ଦୁଇଜଣ ଶିଶୁ କନ୍ୟା କରୋନରେ ଆକ୍ରାନ୍ତ ହୋଇଛନ୍ତି । ଜଣଙ୍କର ବୟସ ୯ ବର୍ଷ ହୋଇଥିବା ବେଳେ ଅନ୍ୟ ଜଣଙ୍କର ୫ ବର୍ଷ । ଏମାନେ କରୋନରେ ମୃତ୍ୟୁ ହୋଇଥିବା ୭୨ ବର୍ଷୀୟ ବ୍ୟକ୍ତିଙ୍କ ସମ୍ପର୍କୀୟ ବୋଲି ଜଣାପଡିଛି । ସେମାନଙ୍କ ଘର ଭୁବନେଶ୍ୱର ଝାରପଡାର ୪୨ ନମ୍ବରର । ସେହିପରି ଝାରପଡା ଅଞ୍ଚଳରେ ଜଣେ ୩୭ ବର୍ଷୀୟ ମହିଳା ମଧ୍ୟ କରୋନାରେ ଆକ୍ରାନ୍ତ ହୋଇଛନ୍ତି । ଏବେ ସେମାନଙ୍କୁ ଆଇସୋଲେସନରେ ରଖାଯାଇଛି । ଏନେଇ ସ୍ପଷ୍ଟ କରିଛି ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ । ଏପ୍ରିଲ ୪ ତାରିଖରେ ନିଶ୍ୱାସ ନେବାରେ ଅସୁବିଧା ହେବାରୁ ୭୨ ବର୍ଷୀୟ ବ୍ୟକ୍ତିଙ୍କୁ ପରିବାର ଲୋକ ଭୁବନେଶ୍ୱର ଏମ୍ସରେ ଭର୍ତ୍ତି କରିଥିଲେ । ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଥିଲା । ପରେ ତାଙ୍କର ରକ୍ତ ଓ ସ୍ୱାବ୍ ଟେଷ୍ଟ କରାଯାଇଥିଲା । ରିପୋର୍ଟରେ ତାଙ୍କୁ କରୋନା ହୋଇଥିବା ସ୍ପଷ୍ଟ ହୋଇଥିଲା । ଏମ୍ସ କର୍ତ୍ତୃପକ୍ଷ ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗକୁ ଅବଗତ କରାଇଥିଲା । ତା\'ପରେ ସ୍ୱାସ୍ଥ୍ୟ ବିଭାଗ ପୁଣି ଥରେ ଆର୍‌ଏମ୍‌ସିରେ ତାଙ୍କର ରକ୍ତ ଓ ସ୍ୱାବ୍ ଟେଷ୍ଟ କରିଥିଲା । ରିପୋର୍ଟରେ ତାଙ୍କୁ କରୋନା ହୋଇଥିବା ସ୍ପଷ୍ଟ କରିଥିଲା । ଏହାପରେ ସ୍ୱାସ୍ଥ୍ୟ ବିଭାଗ ମୃତକଙ୍କ ସମ୍ପର୍କୀୟଙ୍କୁ ଆଣି କ୍ୱାରେଣ୍ଟାଇନରେ ରଖିଥିଲା । ତେବେ ଗତକାଲି ଆସିଥିବା ରିପୋର୍ଟରେ ମୃତକଙ୍କ ସମ୍ପର୍କୀୟ ଦୁଇ ଶିଶୁ ଓ ଜଣେ ୩୭ ବର୍ଷୀୟ ମହିଳା କରୋନାରେ ଆକ୍ରାନ୍ତ ହୋଇଥିବା ଜଣାପଡିଛି ।
ସେନା ଆକ୍ରମଣରେ ପାକିସ୍ତାନ ଆତଙ୍କୀ ଶିବିର ଧ୍ୱସ୍ତ



ନୂଆଦିଲ୍ଲୀ,୧୦ା୪ : ସାରା ଦେଶ ଯେତେବେଳେ କରୋନା ବା କୋଭିଡ୍‌-୧୯ ସହ ଲଢ଼େଇ କରୁଛି ଏଲ୍‌ଓସିରେ ପାକିସ୍ତାନ ଷଡଯନ୍ତ୍ରର ପସରା ମେଲାଇଛି । ଶୁକ୍ରବାର ଏହାର ଜବାବ ଦେଇ ଗୋଟିଏ ପରେ ଗୋଟିଏ ଆତଙ୍କୀ ଲଞ୍ଚପ୍ୟାଡ୍ ଉପରେ ହମଲା ଆରମ୍ଭ କରିଛି ଭାରତୀୟ ସେନା । ଗତ ରବିବାରଠାରୁ ଲାଗି ରହିଥିବା ଏହି ଅଶାନ୍ତିର ଏଭଳି ଜବାବ ଦେଇଛି ଭାରତ । ଜାମ୍ମୁ-କାଶ୍ମୀରର କୁପୱାରା ନିକଟବର୍ତ୍ତୀ ଏଲ୍‌ଓସିରେ ଥିବା କରୋନା ସେକ୍ଟରରେ ଏଭଳି ଆକ୍ରମଣର ଭିଡିଓ ମଧ୍ୟ ଜାରି କରାଯାଇଛି । ଶୁକ୍ରବାର ସକାଳେ ପାକିସ୍ତାନ ସେବା ଲଗାତାର ଅସ୍ତ୍ରବିରତି ଉଲ୍ଲଘଂନ କରିଥିଲା । ଏହାପରେ ଭାରତ ‘ଟାର୍ଗେଟେଡ୍ ଫାୟାର ଆସଲ୍ଟ’ କରିଥିଲା । ୫ଟି ସ୍ଥାନରେ ଏଭଳି ଗୁଳି ବିନିମୟ ଦେଖିବାକୁ ମିଳିଥିଲା । ତେବେ ଭାରତର ଗୁଳି ଗୋଳା ବର୍ଷଣରେ ପ୍ରାୟ ଗୋଟିଏ ଲଞ୍ଚପ୍ୟାଡ୍ ସମ୍ପୂର୍ଣ୍ଣ ଧ୍ୱଂସ ପାଇଛି । ଭାରତ ପକ୍ଷରୁ ଆଜି ୧୦୫ ଏମ୍‌ଏମ୍ ଫିଲ୍ଡ ଗନ୍ ସହ ୧୫୫ ଏମ୍‌ଏମ୍ ବୋଫର୍ସ ମାଡ କରାଯାଇଥିଲା । ଜଣେ ଅଧିକାରୀଙ୍କ କହିବା ଅନୁଯାୟୀ, ଆମ ସେନା ଜୋରଦାର ଏବଂ ପ୍ରଭାବୀ ଜବାବ ଦେଇଛନ୍ତି । ଟେରର ଲଞ୍ଜ ପ୍ୟାଡ୍‌କୁ ଟାର୍ଗେଟ୍ କରିବା ସହ ଗୁଳି ଗୋଳା ବର୍ଷଣ କରାଯାଇଥିଲା । ପାକିସ୍ତାନ ଏଥିରେ ବହୁତ କ୍ଷତି ହୋଇଥିବାର ରିପୋର୍ଟ ଆସୁଛି । ଆମ ପଟୁ କେହି ମଧ୍ୟ ମୃତାହତ ହୋଇନାହାନ୍ତି । ଗତ ରବିବାର ୫ଜଣ ପାକିସ୍ତାନୀ ଆତଙ୍କବାଦୀକୁ କେରାନ୍ ସେକ୍ଟରରେ ହେଲିକପ୍ଟର ଦ୍ୱାରା ପାକିସ୍ତାନ ଛାଡିଥିଲା । ଏମାନଙ୍କ ନିପାତ ପାଇଁ ୫ଜଣିଆ ଟିମ୍ ଯାଇଥିଲେ । ୪ଜଣଙ୍କୁ ଏହି ଟିମ୍ ହତ୍ୟା କରିଥିଲା ଏବଂ ଜଣେ ଖସି ଯାଇଥିଲା । ପରେ ପଞ୍ଚମ ଜଣଙ୍କୁ ଏଲ୍‌ଓସିରେ ହତ୍ୟା କରାଯାଇଥିଲା । ତେବେ ଦୁର୍ଭାଗ୍ୟବଶତଃ ଭାରତ ପକ୍ଷରୁ ଏହି ମିଶନରେ ଯାଇଥିବା ଯବାନ ମଧ୍ୟ ପ୍ରାଣବଳି ଦେଇଥିଲେ ।

Comments